Breaking PLUSଓଡ଼ିଶାମୁଖ୍ୟ ଖବର

ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ଡିପ୍‌ଫେକ୍‌ ଭିଡିଓ, ଥାନାରେ ବିଜେଡିର ଅଭିଯୋଗ

ଭୁବନେଶ୍ୱର: ପୂର୍ବତନ ପ୍ରଶାସିକା ତଥା ବିଜେଡିର ବରିଷ୍ଠ ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ ଡିପ୍‌ଫେକ୍‌ ଓ ସ୍ୱର ନକଲ ଭିଡିଓ ପ୍ରସାରଣ ଅଭିଯୋଗରେ ବିଜେଡି ପକ୍ଷରୁ ରବିବାର ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି। ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ରେ ‘ଓଡ଼ିଆଙ୍କ ଛତା’ ନାମକ ଆକାଉଣ୍ଟରୁ ଏହି ଭିଡିଓଗୁଡ଼ିକ ପ୍ରସାରିତ ହୋଇଥିବା ଅଭିଯୋଗ ହୋଇଛି।

ବିଜେଡି ନେତ୍ରୀ ଅମୃତା ମିଶ୍ର ଏହି ଅଭିଯୋଗ ଦାଖଲ କରି ଘଟଣାରେ ଏତଲା ରୁଜୁ, ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୧୮ରେ ଅପଲୋଡ୍‌ ହୋଇଥିବା ଏକ ଭିଡିଓରେ ସୁଜାତା କାର୍ତ୍ତିକେୟନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କୁ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ଧମକ ଦେଉଥିବା ଭଳି ଦର୍ଶାଯାଇଛି। ଏହା ମିଥ୍ୟା ଓ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ବିଜେଡି ଅଭିଯୋଗ କରିଛି। ଏହାଦ୍ୱାରା ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ସହ ନେତ୍ରୀଙ୍କ ସମ୍ମାନହାନି ଉଦ୍ୟମ ହୋଇଥିବା ଦଳ କହିଛି।

ପୁଲିସ ତୁରନ୍ତ ସମ୍ପୃକ୍ତ ଆକାଉଣ୍ଟ ପରିଚାଳକଙ୍କୁ ଚିହ୍ନଟ କରି ଡିଜିଟାଲ୍‌ ପ୍ରମାଣ ସୁରକ୍ଷିତ ରଖିବା, ଭିଡିଓର ଫରେନ୍ସିକ୍‌ ଯାଞ୍ଚ କରିବା ଏବଂ ମେଟା କମ୍ପାନୀଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବାକୁ ବିଜେଡି ଦାବି କରିଛି। ଅକ୍ଟୋବର ୧୫ରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ପରିପ୍ରେକ୍ଷୀରେ ଏହି ଘଟଣା ସାମ୍ନାକୁ ଆସିଛି।

Show More

Related Articles

Back to top button