ଅପରାଧଓଡ଼ିଶା

କଟକ ମୁଣ୍ଡଳୀ ବ୍ୟାରେଜ ନିକଟରେ ଖଣ୍ଡା ଆକ୍ରମଣ ଘଟଣା: ୩ ଗିରଫ

ଭୁବନେଶ୍ୱର: କଟକ ଜିଲ୍ଲାର ମୁଣ୍ଡଳୀ ବ୍ୟାରେଜ ନିକଟ ସାନ ମୁଣ୍ଡଳୀ ଗାଁରେ ଘଟିଥିବା ଭୟଙ୍କର ଖଣ୍ଡା ଆକ୍ରମଣ ଘଟଣାରେ ବାରଙ୍ଗ ପୋଲିସ ବୁଧବାର ତିନିଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଆଠଗଡ଼ ଅଞ୍ଚଳର ରୋହିତ କୁମାର ସାହୁ ଏବଂ ନିଆଳି ଅଞ୍ଚଳର ସୁବ୍ରତ ବେହେରା ଓ ସୁଭେନ୍ଦୁ ନାୟକ। ପୋଲିସ ସମସ୍ତଙ୍କୁ ଗିରଫ ପରେ ସ୍ଥାନୀୟ କୋର୍ଟରେ ହାଜର କରାଇଛି।
ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୧୧ଟା ୩୦ ମିନିଟ ସମୟରେ ୨୭ ବର୍ଷୀୟ କାନ୍ହୁ ଦଳେଇ ମୁଣ୍ଡଳୀ ବ୍ୟାରେଜ ନିକଟରେ ଥିବା ଏକ ଦହିବରା ଦୋକାନରେ ଖାଉଥିବା ବେଳେ ଛଅଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।
ଆକ୍ରମଣରେ କାନ୍ହୁଙ୍କ ପେଟରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇଥିବା ଦୋକାନୀ ରଞ୍ଜନ କୁମାର ରାଉତ ଓ ସ୍ଥାନୀୟ ବାସିନ୍ଦା ଅନିଲ କୁମାର ଲେଙ୍କା ମଧ୍ୟ ସାମାନ୍ୟ ଆହତ ହୋଇଥିଲେ।
ଘଟଣା ପରେ ଅଭିଯୁକ୍ତମାନେ ମୁଣ୍ଡଳୀ ବ୍ରିଜ ଦେଇ ଆଠଗଡ଼ ଅଭିମୁଖେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ରଞ୍ଜନ ଓ ଅନିଲ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ କାନ୍ହୁଙ୍କ ଅବସ୍ଥା ଗୁରୁତର ରହିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରେ ଆଠଗଡ଼ ଅଞ୍ଚଳର କିଛି ଯୁବକଙ୍କ ସଂପୃକ୍ତି ଥିବା ଜଣାପଡ଼ିବା ପରେ ଚଢ଼ାଉ କରି ତିନିଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

Show More

Related Articles

Back to top button