ଦେଶମୁଖ୍ୟ ଖବରଶିକ୍ଷା

ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ୍ ପରୀକ୍ଷା: ଧର୍ମେନ୍ଦ୍ର ପ୍ରଧାନ

ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଆସନ୍ତା ବର୍ଷରୁ ନିଟ୍ ପରୀକ୍ଷା କମ୍ପ୍ୟୁଟର-ଭିତ୍ତିକ ଟେଷ୍ଟ (ସିବିଟି) ମୋଡ୍‌ରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଓଏମଆର ପଦ୍ଧତିଠାରୁ ସିବିଟି ବ୍ୟବସ୍ଥା ଅଧିକ ସୁରକ୍ଷିତ, ସ୍ୱଚ୍ଛ ଓ ଆଧୁନିକ ବୋଲି ସେ କହିଛନ୍ତି।

ଶିକ୍ଷାମନ୍ତ୍ରୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ୧୫ ମିନିଟ୍ ଅତିରିକ୍ତ ସମୟ ଦିଆଯିବ। ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ହେବ। ଜୁନ୍ ୨୧ରେ ହେବାକୁ ଥିବା ପରୀକ୍ଷା ପାଇଁ ଜୁନ୍ ୧୪ ସୁଦ୍ଧା ଆଡମିଟ୍ କାର୍ଡ ଉପଲବ୍ଧ କରାଯିବ। ସେହିପରି ଛାତ୍ରଛାତ୍ରୀଙ୍କୁ ନିଜ ପସନ୍ଦର ସହର ବାଛିବାର ସୁବିଧା ଦିଆଯିବା ସହ ଫିସ୍ ଫେରସ୍ତ ପାଇଁ ମଧ୍ୟ ଏନଟିଏ ପଦକ୍ଷେପ ନେଇଥିବା ସେ କହିଛନ୍ତି।

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମଧ୍ୟ ଶିକ୍ଷାମନ୍ତ୍ରୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମେ’ ୭ରେ ପ୍ରଶ୍ନପତ୍ର ଲିକ୍ ନେଇ ଖବର ପ୍ରକାଶ ପାଇବା ପରେ ତୁରନ୍ତ ପ୍ରାରମ୍ଭିକ ତଦନ୍ତ କରାଯାଇଥିଲା ଏବଂ ପରେ ମାମଲାକୁ ତଦନ୍ତ ଏଜେନ୍ସିଙ୍କୁ ହସ୍ତାନ୍ତର କରାଯାଇଥିଲା। ମେ’ ୮ରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ମେ’ ୧୨ରେ ପରୀକ୍ଷା ବାତିଲ କରିବାର ନିଷ୍ପତ୍ତି ନିଆଯାଇଥିଲା।

ସେ ଆହୁରି କହିଛନ୍ତି ଯେ, ସିବିଆଇ ଏହି ଘଟଣାର ତଦନ୍ତ କରୁଛି ଏବଂ ପରୀକ୍ଷାରେ ହେରଫେର କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ। ସାଇବର ଅପରାଧକୁ ବଡ଼ ଚ୍ୟାଲେଞ୍ଜ ବୋଲି କହି ସେ ଜଣାଇଛନ୍ତି ଯେ ନିଟ୍ ସମ୍ବନ୍ଧୀୟ ଭୁଲ ସାମଗ୍ରୀ ପ୍ରସାର କରୁଥିବା ୧୨୦ଟି ଟେଲିଗ୍ରାମ ଚ୍ୟାନେଲକୁ ବନ୍ଦ କରାଯାଇଛି। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଭୁଲ ସୂଚନା ପ୍ରସାର ହୋଇଥିବା ସେ କହିଛନ୍ତି।

“ଶିକ୍ଷା ମାଫିଆଙ୍କୁ କେବେ ମାଫ କରାଯିବ ନାହିଁ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ପରୀକ୍ଷା ପ୍ରଣାଳୀର ସ୍ୱଚ୍ଛତା ପାଇଁ କଠୋର ନିଷ୍ପତ୍ତି ନିଆଯାଇଛି,” ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Show More

Related Articles

Back to top button