
ଘରୋଇ ରୋଷେଇରେ ଏଲପିଜି ବଦଳରେ ପାଇପ୍ ଯୋଗେ ଯୋଗାଣ ହେଉଥିବା ପ୍ରାକୃତିକ ଗ୍ୟାସ୍ ବା ପିଏନଜି ବ୍ୟବହାରକୁ ବଢ଼ାଇବା ଉପରେ କେନ୍ଦ୍ର ସରକାର ଜୋର ଦେଇଛନ୍ତି। ଯେଉଁ ଅଞ୍ଚଳରେ ପିଏନଜି ଉପଲବ୍ଧ ରହିଛି, ସେଠାରେ ଗୋଟିଏ ପରିବାର ଏକାସାଙ୍ଗରେ ଏଲପିଜି ଓ ପିଏନଜି ସଂଯୋଗ ରଖୁଛି କି ନାହିଁ, ତାହା ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ସାମିଲ କରାଯିବ।
ପେଟ୍ରୋଲିୟମ ସଚିବ ନୀରଜ ମିତ୍ତଲ ଦେଶର ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ପଠାଇଥିବା ଚିଠିରେ ଏନେଇ ଜିଲ୍ଲାସ୍ତରରେ ପଦକ୍ଷେପ ନେବାକୁ କହିଛନ୍ତି। ପିଏନଜି ତୁଳନାମୂଳକ ଭାବେ ପରିଷ୍କାର, ସୁବିଧାଜନକ ଓ ସୁରକ୍ଷିତ ଇନ୍ଧନ ହୋଇଥିବାରୁ ଏହାର ବ୍ୟବହାର ବଢ଼ାଇବାକୁ ସରକାର ଚାହୁଁଛନ୍ତି। ଏହାଦ୍ୱାରା ଏଲପିଜି ସିଲିଣ୍ଡରର ପରିବହନ ଓ ବଣ୍ଟନ ଉପରେ ଚାପ ମଧ୍ୟ କମିପାରିବ।
ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ସମୟରେ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତକୁ ହେଉଥିବା ଏଲପିଜି ଆମଦାନି ପ୍ରଭାବିତ ହୋଇଥିଲା। ଫଳରେ ଏଲପିଜି ଯୋଗାଣ ବ୍ୟବସ୍ଥା ଉପରେ ଚାପ ବଢ଼ିଥିଲା। ଏହି ପରିସ୍ଥିତିରେ ପିଏନଜି ଭଳି ବିକଳ୍ପ ଇନ୍ଧନର ବ୍ୟବହାର ବଢ଼ାଇବାକୁ କେନ୍ଦ୍ର ଗୁରୁତ୍ୱ ଦେଉଛି।
ପିଏନଜିକୁ ଗ୍ରହଣ କରୁଥିବା ଘରୋଇ ଏଲପିଜି ଗ୍ରାହକଙ୍କୁ ସୁବିଧା ଦେବା ପାଇଁ ୨୦୨୬ରେ ଏଲପିଜି ଯୋଗାଣ ଓ ବଣ୍ଟନ ସମ୍ପର୍କିତ ନିୟମରେ ମଧ୍ୟ ସଂଶୋଧନ କରାଯାଇଛି। ସଙ୍କଟ ସମୟରେ ପ୍ରାୟ ୭.୯୯ ଲକ୍ଷ ପିଏନଜି ସଂଯୋଗକୁ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାରେ ସାମିଲ କରାଯାଇଥିବାବେଳେ ଆଉ ୨.୮୭ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି।
ପ୍ରତ୍ୟେକ ଗ୍ୟାସ୍ ବଣ୍ଟନ ଅଞ୍ଚଳରେ ପିଏନଜି ସମନ୍ୱୟ କମିଟି ଗଠନ କରିବାକୁ ସହରୀ ଗ୍ୟାସ୍ ବଣ୍ଟନ ସଂସ୍ଥା ଓ ସରକାରୀ ତେଲ ବିପଣନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କମିଟି ଯୋଗ୍ୟ ଆବାସିକ ସମିତି ଓ ଘରଗୁଡ଼ିକୁ ଚିହ୍ନଟ କରି ପିଏନଜି ସଂଯୋଗ ନେବା ପାଇଁ ସଚେତନତା ସୃଷ୍ଟି କରିବ।
ପିଏନଜି ପାଇପ୍ ବିଛାଇବା ପାଇଁ ଆବାସିକ ସମିତି ଓ ବାସିନ୍ଦା କଲ୍ୟାଣ ସଂଘଠାରୁ ଅନୁମତି ହାସଲ, ଏଲପିଜି ବିତରକ ଓ ପିଏନଜି ସଂସ୍ଥା ମଧ୍ୟରେ ସମନ୍ୱୟ, ଗ୍ରାହକ ଯାଞ୍ଚ ଏବଂ ଅଭିଯୋଗ ସମାଧାନ ଭଳି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ କରିବ।
ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଯୋଗାଣ ଅଧିକାରୀ ପାହ୍ୟାରୁ କମ୍ ନଥିବା ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ପିଏନଜି ଉପଲବ୍ଧ ଥିବା ଅଞ୍ଚଳରେ ଏହାର ବ୍ୟବହାର କେତେ ବଢ଼ୁଛି, ତାହା ମଧ୍ୟ ଏହି ଅଧିକାରୀମାନେ ନଜରରେ ରଖିବେ। ନିର୍ଦ୍ଦିଷ୍ଟ ସମୟସୀମାରେ ପିଏନଜି ବ୍ୟବହାର ବଢ଼ାଇବାକୁ କେନ୍ଦ୍ର ରାଜ୍ୟଗୁଡ଼ିକୁ ଆହ୍ୱାନ କରିଛି।



