
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଶନିବାର ଆୟୋଜିତ ହୋଇଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର-୨୦୨୬। ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ-ବିଦେଶର ୧୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିଥିବା ବେଳେ ଭାରତ ଓ ଓଡ଼ିଶାର ପ୍ରତିଭାବାନ କ୍ରୀଡ଼ାବିତ୍ମାନେ ମଧ୍ୟ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି।
ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଥଲେଟ୍ମାନଙ୍କ ପ୍ରଦର୍ଶନ ଦେଖିଥିଲେ। ଓଡ଼ିଶାରେ ଏଭଳି ବଡ଼ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ରାଜ୍ୟର ବଢ଼ୁଥିବା କ୍ରୀଡ଼ା ପ୍ରତିଷ୍ଠାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମତରେ, ବିଭିନ୍ନ ଦେଶର ଆଥଲେଟ୍ଙ୍କ ସହ ଭାରତୀୟ ଓ ଓଡ଼ିଆ କ୍ରୀଡ଼ାବିତ୍ଙ୍କୁ ଏକ ମଞ୍ଚରେ ପ୍ରତିଯୋଗିତା କରିବାର ସୁଯୋଗ ମିଳିବା ରାଜ୍ୟର କ୍ରୀଡ଼ା ପରିବେଶ ପାଇଁ ଏକ ବଡ଼ ସଫଳତା। ଏପରି ଆୟୋଜନ ଓଡ଼ିଶାକୁ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଆହୁରି ମଜବୁତ ସ୍ଥାନ ଦେବା ସହ କ୍ରୀଡ଼ା ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
କେବଳ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ସୀମିତ ନରହି ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉଚ୍ଚସ୍ତରୀୟ କ୍ରୀଡ଼ାବିତ୍ ଭାବେ ଗଢ଼ି ତୋଳିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାର ଅଂଶ ଭାବେ ବ୍ଲକ୍ସ୍ତରରେ ଆଧୁନିକ ସୁବିଧା ସହ ଷ୍ଟାଡିୟମ ନିର୍ମାଣ ଚାଲିଛି।
ଏହାବ୍ୟତୀତ ଭୁବନେଶ୍ୱର ଗୋଠପାଟଣାରେ ଏକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଠାରେ ରାଜ୍ୟର ଉଦୀୟମାନ କ୍ରୀଡ଼ାବିତ୍ମାନେ ଆନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ ଓ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



