Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବର

ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପ୍ରସ୍ତୁତି

 ସେପ୍ଟେମ୍ବର ୨୨ରୁ ବସିବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୩ରେ ଅଧିବେଶନ ଶେଷ ହେବ। ମୋଟ ୯ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନରେ ମୋହନ ସରକାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଓ ସଂଶୋଧନ ବିଲ୍‌ ଆଣିବାକୁ ଯୋଜନା କରିଛନ୍ତି। ଅନ୍ୟପଟେ ବନ୍ୟା, ଆଇନଶୃଙ୍ଖଳା, ରଥଯାତ୍ରା ଅଘଟଣ ସମେତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ପ୍ରସ୍ତୁତ ହେଉଛନ୍ତି।

ବିଧାନସଭାର କାର୍ଯ୍ୟସୂଚୀ ଅନୁସାରେ, ସେପ୍ଟେମ୍ବର ୨୨, ୨୩ ଓ ୨୪ରେ ସରକାରୀ କାର୍ଯ୍ୟଦିବସ ରହିଛି। ୨୫ ତାରିଖରେ ବେସରକାରୀ ସଦସ୍ୟଙ୍କ ବିଲ୍‌ ଓ ସଂଶୋଧନ ବିଲ୍‌ ଉପସ୍ଥାପିତ ହେବ। ୨୬ ଓ ୨୭ ତାରିଖ ଛୁଟି ଥିବାବେଳେ ୨୮ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟଦିବସ ରହିଛି।

ଏହି ଅଧିବେଶନରେ ମଠ ଓ ମନ୍ଦିର ପରିଚାଳନା ସହ ଜଡ଼ିତ ହିନ୍ଦୁ ଦେବୋତ୍ତର ଆଇନ, ୧୯୫୧ରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ପୁରୁଣା ଆଇନର ଅନାବଶ୍ୟକ ଧାରା ଓ ଉପଧାରାକୁ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ବଦଳାଇବା ସହ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଜୋର ଦିଆଯିବ।

ସେହିପରି ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ରେ ସଂଶୋଧନ ପାଇଁ ମଧ୍ୟ ବିଲ୍‌ ଆସିପାରେ। ସହରାଞ୍ଚଳରେ କୃଷି ଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହାର କରିବା ଲାଗି ଜମି ବ୍ୟବହାର ପରିବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।

ବିରୋଧୀଙ୍କ ଟାର୍ଗେଟରେ ସରକାର

ସ୍ୱଳ୍ପ ସମୟର ଅଧିବେଶନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି। MMDR ଆଇନକୁ ନେଇ ରାଜ୍ୟରେ ଚାଲିଥିବା ବିବାଦକୁ ବିରୋଧୀ ଦଳ ବିଧାନସଭାରେ ଉଠାଇପାରନ୍ତି। ଏହା ସହିତ ବନ୍ୟା ପରିସ୍ଥିତି ଓ ରିଲିଫ୍‌ ବଣ୍ଟନକୁ ନେଇ ମଧ୍ୟ ସରକାରଙ୍କୁ ଜବାବ ମାଗିପାରନ୍ତି।

ପାଠ୍ୟପୁସ୍ତକରେ ତ୍ରୁଟି, ନିଟ୍‌ ବିବାଦ, ରାଜ୍ୟରେ ବଢ଼ୁଥିବା ଆଇନଶୃଙ୍ଖଳା ସମସ୍ୟା ଏବଂ ରଥଯାତ୍ରା ସମୟର ଅଘଟଣ ମଧ୍ୟ ଅଧିବେଶନରେ ହଙ୍ଗାମାର କାରଣ ହୋଇପାରେ। ଫଳରେ ଅଳ୍ପ କାର୍ଯ୍ୟଦିବସ ଥିଲେ ମଧ୍ୟ ମୌସୁମୀ ଅଧିବେଶନ ରାଜନୈତିକ ଭାବେ ବେଶ୍‌ ଗରମ ରହିବାର ଆଶଙ୍କା ରହିଛି।

Show More

Related Articles

Back to top button