
ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣ ମଠ ସାହିରେ ପୋଖରୀରୁ ଦଳ ସଫା ଓ ମାଛ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଟେକାପଥର ମାଡ଼ରେ ୩ରୁ ୪ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁସାରେ, ଗାଁର ଏକ ପୋଖରୀରୁ ଦଳ ସଫା କରିବା ଏବଂ ମାଛ ମାରିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇ ଉଭୟ ପକ୍ଷ ପରସ୍ପରକୁ ଟେକାପଥର ମାଡ଼ କରିଥିଲେ। ଏଥିରେ କିଛି ଲୋକ ଆହତ ହୋଇଛନ୍ତି।
ସଂଘର୍ଷ ସମୟରେ ଉତ୍ତ୍ୟକ୍ତ ଲୋକେ ଏକ ଚାଳଛପର ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁରେ ଘରଟି ପୋଡ଼ି ଯାଇଥିବାରୁ ଘଟଣା ପରେ ଅଞ୍ଚଳରେ ଆତଙ୍କ ଓ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଛି।
ଖବର ପାଇ ଚନ୍ଦନପୁର ଥାନା ଆଇଆଇସି, ଉପଖଣ୍ଡୀୟ ପୁଲିସ ଅଧିକାରୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯିବା ସହ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ସହ ଅଞ୍ଚଳରେ ଶାନ୍ତି ଫେରାଇବାକୁ ପୁଲିସ ଉଦ୍ୟମ ଜାରି ରଖିଛି।
ଘଟଣାକୁ ନେଇ ଦୁଇ ପକ୍ଷର ଅଭିଯୋଗ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି। ଗାଁରେ ଯେପରି ପୁଣି ହିଂସାତ୍ମକ ପରିସ୍ଥିତି ନ ଉପୁଜେ, ସେଥିପାଇଁ ପୁଲିସ ନଜର ରଖିଛି।



