ଯୁବପିଢ଼ି ପାଇଁ ବଡ଼ ଘୋଷଣା, ୬ ମାସରେ ୧ ଲକ୍ଷ ସରକାରୀ ଚାକିରି ଦେବେ ଯୋଗୀ

ଉତ୍ତରପ୍ରଦେଶର ଯୁବପିଢ଼ି ପାଇଁ ବଡ଼ ନିଯୁକ୍ତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟର ୧ ଲକ୍ଷ ଯୁବକ-ଯୁବତୀଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ସେ କହିଛନ୍ତି। ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ଘୋଷଣା କରିଛନ୍ତି।
ଏହି ଅବସରରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ ମଣ୍ଡି ସଚିବଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ନିଯୁକ୍ତି ପ୍ରକ୍ରିୟା ନିରପେକ୍ଷ, ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ସମ୍ପନ୍ନ ହୋଇଥିବା ଯୋଗୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ବିଭିନ୍ନ ପର୍ଯ୍ୟାୟରେ ନିଯୁକ୍ତି ଦିଆଯିବ। ପ୍ରତି ସପ୍ତାହରେ ନିଯୁକ୍ତିପତ୍ର ବଣ୍ଟନ କରାଯିବା ସହ ୬ ମାସ ମଧ୍ୟରେ ୧ ଲକ୍ଷ ଯୁବକ-ଯୁବତୀଙ୍କୁ ସରକାରୀ ଚାକିରି ଦେବା ଲକ୍ଷ୍ୟ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ଭେଦଭାବ ନ କରି ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯାଉଛି ବୋଲି ଯୋଗୀ କହିଛନ୍ତି। ସେହିପରି ସଂରକ୍ଷଣ ନିୟମକୁ ମଧ୍ୟ ସଠିକ୍ ଭାବେ ପାଳନ କରାଯାଉଛି। ସ୍ୱଚ୍ଛ ଓ ନିରପେକ୍ଷ ନିଯୁକ୍ତି ନିଶ୍ଚିତ କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲେ ମଧ୍ୟ ସରକାର ଏ ଦିଗରେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଯୋଗୀଙ୍କ ଏହି ଘୋଷଣା ରାଜ୍ୟର ନିଯୁକ୍ତି ଆଶାୟୀ ଯୁବପିଢ଼ିଙ୍କ ପାଇଁ ଆଶ୍ୱସ୍ତିର କାରଣ ହୋଇଛି। ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ଦ୍ରୁତ କରିବା ସହ ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଯୋଗ ଦେବା ଉପରେ ସରକାର ଗୁରୁତ୍ୱ ଦେଉଥିବା ଏହି ଘୋଷଣାରୁ ସ୍ପଷ୍ଟ ହୋଇଛି।



