Breaking PLUSଆଇନ କାନୁନମୁଖ୍ୟ ଖବର

ଗୁଟଖା ବ୍ୟବସାୟୀଙ୍କୁ ବଡ଼ ଝଟକା, ‘ଚିୱିଙ୍ଗ୍ ଟବାକୋ’ ନିଷେଧ ଉପରେ ହାଇକୋର୍ଟଙ୍କ ମୋହର

ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବିକ୍ରି ଉପରେ କଟକଣା ଜାରି କରିଥିବା ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଓଡ଼ିଶା ହାଇକୋର୍ଟ ବୈଧ ବୋଲି ରାୟ ଦେଇଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଗୋପାଳ ଆରୋମାଟିକ୍ ସମେତ ବିଭିନ୍ନ କମ୍ପାନୀ ପକ୍ଷରୁ ଦାୟର ହୋଇଥିବା ୪ଟି ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ରାଜ୍ୟରେ ଚିୱିଙ୍ଗ୍ ଟବାକୋ ଉପରେ ଲାଗିଥିବା କଟକଣା ବଳବତ୍ତର ରହିବା ସ୍ପଷ୍ଟ ହୋଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚଳିତବର୍ଷ ଜାନୁଆରୀ ୨୧ରେ ଏହି ବିଜ୍ଞପ୍ତି ଜାରି କରିଥିଲା। ବିଜ୍ଞପ୍ତିକୁ ନେଇ ଆବେଦନକାରୀମାନେ ଆଇନଗତ ପ୍ରଶ୍ନ ଉଠାଇଥିଲେ। ପୂର୍ବରୁ ମାମଲାର ବିଚାର ସମୟରେ ହାଇକୋର୍ଟଙ୍କ ପକ୍ଷରୁ ଅନ୍ତରୀଣ ନିର୍ଦ୍ଦେଶ ଜାରି ହୋଇଥିଲା। ନୂଆ ରାୟ ସହ ସେହି ଅନ୍ତରୀଣ ନିର୍ଦ୍ଦେଶକୁ ମଧ୍ୟ ଉଠାଇ ଦିଆଯାଇଛି।

ହାଇକୋର୍ଟ ରାୟରେ ଜନସ୍ୱାସ୍ଥ୍ୟର ସୁରକ୍ଷାକୁ ରାଜ୍ୟର ପ୍ରମୁଖ ଦାୟିତ୍ୱ ଭାବେ ଗୁରୁତ୍ୱ ଦିଆଯାଇଛି। ବ୍ୟବସାୟିକ ଲାଭ ଅପେକ୍ଷା ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନର ଅଧିକାରକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି କୋର୍ଟ ମତ ଦେଇଛନ୍ତି। ଜାନୁଆରୀ ୨୧ର ବିଜ୍ଞପ୍ତି ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଏବଂ ସମ୍ପର୍କିତ ୨୦୧୧ ନିୟମାବଳୀର ଅନୁପାଳନ ନିମନ୍ତେ ଜାରି ହୋଇଥିବା କୋର୍ଟ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ, ଆବେଦନକାରୀ କମ୍ପାନୀମାନଙ୍କ ଯୁକ୍ତି ଥିଲା ଯେ ଚିୱିଙ୍ଗ୍ ଟବାକୋ ଖାଦ୍ୟ ସୁରକ୍ଷା ଓ ମାନକ ଆଇନର ପରିସରଭୁକ୍ତ ନୁହେଁ। ତମାଖୁ ସମ୍ପର୍କିତ ଉତ୍ପାଦ କେନ୍ଦ୍ରୀୟ ଆଇନ ‘କୋଟପା’ ଅଧୀନରେ ନିୟନ୍ତ୍ରିତ ହେଉଥିବାରୁ ରାଜ୍ୟ ସରକାର ଏଫ୍‌ଏସ୍‌ଏସ୍‌ଏ ଆଧାରରେ ଏହା ଉପରେ କଟକଣା ଲଗାଇପାରିବେ ନାହିଁ ବୋଲି ସେମାନେ ଦାବି କରିଥିଲେ।

ତେବେ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ। ସରକାରଙ୍କ ବିଜ୍ଞପ୍ତି ଏଫ୍‌ଏସ୍‌ଏସ୍‌ଏର ବ୍ୟବସ୍ଥା ପାଳନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜାରି ହୋଇଥିବା କୋର୍ଟ କହିଛନ୍ତି। ଏହାସହ ବିଜ୍ଞପ୍ତି ପରେ ଜିଏସ୍‌ଟି କର୍ତ୍ତୃପକ୍ଷ ନେଇଥିବା ପଦକ୍ଷେପଗୁଡ଼ିକର ବୈଧତା ଆବଶ୍ୟକତା ଅନୁସାରେ ସ୍ୱତନ୍ତ୍ର ଭାବେ ବିଚାର କରାଯିବ ବୋଲି ରାୟରେ ଉଲ୍ଲେଖ ରହିଛି।

Show More

Related Articles

Back to top button