ଦକ୍ଷିଣ ଆଫ୍ରିକାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨୧ ମୃତ

କେପ୍ଟାଉନ୍: ଦକ୍ଷିଣ ଆଫ୍ରିକାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅତିକମ୍ରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ କେପ୍ ପ୍ରଦେଶର ପ୍ରିନ୍ସ ଆଲବର୍ଟ ଓ ଲିଉ-ଗାମକା ମଧ୍ୟରେ ରବିବାର ରାତିରେ ଦୁଇଟି ମିନିବସ୍ ଟ୍ୟାକ୍ସି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଏକ ଏସ୍ୟୁଭି ଆସି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଗୁରୁତର ତିନି ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି।
କେପ୍ଟାଉନ୍ଠାରୁ ପ୍ରାୟ ୩୮୦ କିଲୋମିଟର ପୂର୍ବରେ ଘଟିଥିବା ଏହି ଦୁର୍ଘଟଣା ପୁଣିଥରେ ଦକ୍ଷିଣ ଆଫ୍ରିକାର ମିନିବସ୍ ଟ୍ୟାକ୍ସିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଦେଶରେ ହଜାର ହଜାର ଲୋକ ଦୈନିକ ଯାତାୟାତ ପାଇଁ ଏହି ମିନିବସ୍ ଟ୍ୟାକ୍ସି ଉପରେ ନିର୍ଭର କରୁଥିବା ବେଳେ ଏଭଳି ଦୁର୍ଘଟଣା ପ୍ରାୟତଃ ଘଟୁଛି।
ଚଳିତ ବର୍ଷ ଜାନୁଆରିରେ ମଧ୍ୟ ଦୁଇଟି ମିନିବସ୍ ଟ୍ୟାକ୍ସି ଦୁର୍ଘଟଣାରେ ୧୪ ଜଣ ଶିଶୁଙ୍କ ସମେତ ୨୫ ଜଣଙ୍କ ଜୀବନ ଯାଇଥିଲା।



