ରାସନ କାର୍ଡରୁ ବାଦ୍ ପଡିଲେ ୯.୮୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟରେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୧ ହଜାର ୬୬୧ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ଆବେଦନ ବାଦ ଦିଆଯାଇଛି। ଅନ୍ୟପକ୍ଷରେ ୭ ଲକ୍ଷ ୧୭ ହଜାର ୭୯୦ ପରିବାରର ୧୪ ଲକ୍ଷ ୨୧ ହଜାର ୨୨୪ ଜଣ ସଦସ୍ୟଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଛି।
ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଅନୁସାରେ, ନୂତନ ରାସନ କାର୍ଡ ପାଇଁ ସମଗ୍ର ରାଜ୍ୟରୁ ୨୧ ଲକ୍ଷ ୮୭ ହଜାର ୮୫ଟି ଆବେଦନ ମିଳିଥିଲା। ସେଥିରୁ ୧୬ ଲକ୍ଷ ୯୯ ହଜାର ୪୫୧ଟି ଆବେଦନର କ୍ଷେତ୍ର ଯାଞ୍ଚ ଶେଷ ହୋଇଥିବା ବେଳେ ୪ ଲକ୍ଷ ୮୭ ହଜାର ୬୩୪ଟି ଆବେଦନର ଯାଞ୍ଚ ଜାରି ରହିଛି।
ଅନ୍ୟପକ୍ଷରେ ଗତ ୩ ବର୍ଷରେ ରାସନ ଚୋରି ଓ ଅନିୟମିତତା ନେଇ ୨୨୯ଟି ଅଭିଯୋଗ ମିଳିଛି। ଏଥିରୁ ୨୦୧ ଜଣ ଡିଲର କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଲାଇସେନ୍ସ ବାତିଲ, ଜରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। କଟକରୁ ସର୍ବାଧିକ ୪୦ଟି, ଯାଜପୁରରୁ ୩୪ଟି, କେନ୍ଦ୍ରାପଡ଼ାରୁ ୩୨ଟି ଓ ପୁରୀରୁ ୨୪ଟି ଅଭିଯୋଗ ଆସିଛି।
ରାସନ ବଣ୍ଟନରେ ସ୍ୱଚ୍ଛତା ପାଇଁ ୧୦୦ ପ୍ରତିଶତ ଇ-ପିଓଏସ୍ ମେସିନ୍, ଆଧାରଭିତ୍ତିକ ବାୟୋମେଟ୍ରିକ୍ ବ୍ୟବସ୍ଥା ଓ ଇଲେକ୍ଟ୍ରୋନିକ୍ ଓଜନ ଯନ୍ତ୍ର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ହିତାଧିକାରୀଙ୍କ ଘରେ ରାସନ ପହଞ୍ଚାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।



