ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପିର ବାଜିମାତ୍, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ

କୋଲକାତା: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ଦଳର ପ୍ରାର୍ଥୀ ହସିରାଣୀ ରଥ କଂଗ୍ରେସର ମିଲନ ପ୍ରଧାନଙ୍କୁ ୧,୨୨,୭୫୩ ଭୋଟର ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି। ହସିରାଣୀ ମୋଟ ୧,୬୪,୪୨୭ ଭୋଟ ପାଇଥିବା ବେଳେ ମିଲନଙ୍କୁ ୪୧,୬୭୪ ଭୋଟ ମିଳିଛି।
ପୂର୍ବ ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଓ ଭବାନୀପୁର ଉଭୟ ଆସନରୁ ନିର୍ବାଚିତ ହୋଇଥିଲେ। ପରେ ସେ ଭବାନୀପୁର ଆସନ ନିଜ ପାଖରେ ରଖି ନନ୍ଦିଗ୍ରାମ ଆସନ ଛାଡ଼ିଥିଲେ। ଏହା ଫଳରେ ଏଠାରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।
ବିଜେପି ପକ୍ଷରୁ ଶୁଭେନ୍ଦୁଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ଚନ୍ଦ୍ରନାଥ ରଥଙ୍କ ମା’ ହସିରାଣୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେପଟେ, ତୃଣମୂଳ କଂଗ୍ରେସ ପ୍ରଥମେ ନିଜ ପ୍ରାର୍ଥୀ ଦେଇଥିଲେ ମଧ୍ୟ ପରେ ସେ ଓହରିଯିବାରୁ ଦଳ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ କରିଥିଲା। ଅକ୍ଟୋବର ୬ ତାରିଖରେ ଏଠାରେ ମତଦାନ ହୋଇଥିଲା। ତେବେ ଫଳାଫଳରେ ହସିରାଣୀଙ୍କ ଏକତରଫା ବିଜୟ ବିଜେପି ଶିବିରରେ ଉତ୍ସାହ ସୃଷ୍ଟି କରିଛି।



