ଚେନ୍ନାଇରେ ମୋଦୀଙ୍କ ରୋଡ୍ ଶୋ’, ବିଜୟଙ୍କ ସହ ମେଟ୍ରୋରେ କଲେ ଯାତ୍ରା
୧୩ ହଜାର କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାମିଲନାଡୁର ଚେନ୍ନାଇ ଗସ୍ତ କରି ୧୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସମେତ ବହୁ ରାଜନୈତିକ ନେତା ତାଙ୍କୁ ସ୍ୱାଗତ କରିଥିଲେ। ବିଜୟ ସରକାର ଗଠନ ହେବା ପରେ ଏହା ମୋଦୀଙ୍କ ପ୍ରଥମ ଚେନ୍ନାଇ ଗସ୍ତ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଚେନ୍ନାଇରେ ଏକ ମେଗା ରୋଡ୍ ଶୋ’ ଆୟୋଜନ କରାଯାଇଥିଲା। ବିମାନବନ୍ଦରରୁ ପୋରୁର ମେଟ୍ରୋ ଷ୍ଟେସନ ଅଭିମୁଖେ ଯିବା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ସମର୍ଥକ ଏକାଠି ହୋଇଥିଲେ। ସେମାନେ ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ମୋଦୀ ମଧ୍ୟ ଗାଡ଼ିରେ ଠିଆ ହୋଇ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ବିଜେପିର ତାମିଲନାଡୁ ଶାଖା ପକ୍ଷରୁ ରାସ୍ତାକଡ଼ରେ ପାରମ୍ପରିକ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। 
ଏହି ଗସ୍ତର ଅନ୍ୟତମ ଆକର୍ଷଣ ଥିଲା ମୋଦୀ ଓ ମୁଖ୍ୟମନ୍ତ୍ରୀ ବିଜୟଙ୍କ ମେଟ୍ରୋ ଯାତ୍ରା। ଉଭୟ ନବନିର୍ମିତ ପୁନାମାଲ୍ଲୀ-ଭଡାପାଳନୀ ମେଟ୍ରୋ କରିଡରରେ ପୋରୁରରୁ ପୁନାମାଲ୍ଲୀ ପର୍ଯ୍ୟନ୍ତ ଏକାଠି ଯାତ୍ରା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ।
ପ୍ରାୟ ୪,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଟ୍ରୋ କରିଡର ଚେନ୍ନାଇର ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଗମ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର, ଏଆଇଏଡିଏମ୍କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ୱାମୀ ଏବଂ ବିଜେପି ନେତା ନୈନାର ନାଗେନ୍ଦ୍ରନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।



