Breaking PLUSଦୁର୍ଘଟଣାଦେଶ ବିଦେଶପାଣିପାଗମୁଖ୍ୟ ଖବର

ନେପାଳରେ ଆକସ୍ମିକ ବନ୍ୟା, ଭାସିଗଲା ୧୦୦ ଘର ; ୬ ପୋଲ କ୍ଷତିଗ୍ରସ୍ତ

କାଠମାଣ୍ଡୁ: ନେପାଳରେ ପୁଣି ବନ୍ୟା ବିପର୍ଯ୍ୟୟ। ରବିବାର ଭୋର ପ୍ରାୟ ୪ଟାରେ ଗୋରଖା ଜିଲ୍ଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ବନ୍ୟା ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ନଦୀର ପ୍ରଖର ସ୍ରୋତରେ ଘର, ପୋଲ ଓ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପର ବେସ୍ କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି।

ଗୋରଖା ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ଧର୍ମେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ପ୍ରାୟ ୧୦୦ଟି ଘର ବନ୍ୟାରେ ଭାସିଯାଇଥିବା ଆଶଙ୍କା ରହିଛି। ଏଥିସହ ଛୋଟବଡ଼ ମିଶାଇ ୬ଟି ପୋଲ କ୍ଷତିଗ୍ରସ୍ତ ହୋଇଛି। ଚୁମାନୁବ୍ରିରୁ ନ୍ୟାକଚେତ-ସିର୍ଦିବାସକୁ ସଂଯୋଗ କରୁଥିବା ପୋଲଟି ଭାସିଯାଇଥିବା ବେଳେ ସଲ୍ଲେରୀରେ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପର ବେସ୍ କ୍ୟାମ୍ପ ମଧ୍ୟ ଭାରୀ କ୍ଷତିଗ୍ରସ୍ତ ହୋଇଛି। ଦୋଭାନ, ଘଟ୍ଟେଖୋଲା, ଜଗତ, ସଲ୍ଲେରୀ, ଚୁମାନୁବ୍ରି ଓ ଧାର୍ଚେ ଅଞ୍ଚଳରେ ବନ୍ୟାର ପ୍ରଭାବ ପଡ଼ିଛି।

ବନ୍ୟାରେ ମୃତାହତଙ୍କ ସଂଖ୍ୟା ଓ ମୋଟ କ୍ଷୟକ୍ଷତିର ଆକଳନ ଏଯାଏଁ ହୋଇପାରିନାହିଁ। ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗଙ୍କ ନିର୍ଦ୍ଦେଶରେ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି।

ଏପଟେ ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ ବନ୍ୟା ସତର୍କତା ଜାରି କରିଛି। ରବିବାର ସକାଳ ୬ଟା ୪୦ରେ ଜାରି ଚେତାବନୀରେ ତ୍ରିଶୂଳୀ-ଦୋଭାନ ଅଞ୍ଚଳରେ ନଦୀକୂଳକୁ ନଯିବା ଏବଂ ଜଳସ୍ତର କମିବା ପର୍ଯ୍ୟନ୍ତ ଉଚ୍ଚ ସ୍ଥାନରେ ରହିବାକୁ ଲୋକଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ରେ ମଧ୍ୟ ନେପାଳର ଭୋଟେ କୋଶୀ ଓ ତ୍ରିଶୂଳୀ ନଦୀ ଅବବାହିକା ସମେତ ରସୁୱା, ନୁୱାକୋଟ, ଧାଦିଙ୍ଗ ଓ ଚିତୱନ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିଲା। ପୁଣି ଥରେ ବନ୍ୟା ଆସିବାରୁ ନେପାଳରେ ବିପର୍ଯ୍ୟୟ ମୁକାବିଲାକୁ ନେଇ ଚିନ୍ତା ବଢ଼ିଛି।

Show More

Related Articles

Back to top button