ଦେଶରେ ବିଦ୍ୟୁତ୍ ସଙ୍କଟ ଗଭୀର, ୯ ରାଜ୍ୟରେ ଅଭାବ

ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ୍ ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ବଢ଼ିବାରୁ ସଙ୍କଟ ଘନେଇବାରେ ଲାଗିଛି। ୨୦୨୬ ସେପ୍ଟେମ୍ବରରେ ଦେଶରେ ବିଦ୍ୟୁତ୍ ଅଭାବ ୫୬ କୋଟି ୟୁନିଟ୍ରେ ପହଞ୍ଚିଛି। ଅଗଷ୍ଟ ୨୦୨୩ ପରଠାରୁ ଏହା ସର୍ବାଧିକ ବିଦ୍ୟୁତ୍ ଅଭାବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ସ୍ଥିତିରେ ଅତିରିକ୍ତ ବିଦ୍ୟୁତ୍ ଯୋଗାଣ ପାଇଁ ବିଭିନ୍ନ ରାଜ୍ୟ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି।
ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଛତିଶଗଡ଼ ଓ ଦିଲ୍ଲୀରେ ବିଦ୍ୟୁତ୍ ଅଭାବ ଦେଖାଦେଇଛି। ବିଶେଷକରି ରାତି ସମୟରେ ଚାହିଦା ପୂରଣ କରିବା ରାଜ୍ୟଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ିଛି।
କମ୍ ବର୍ଷା ଯୋଗୁଁ ଜଳବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇବା ଏହି ସଙ୍କଟର ଅନ୍ୟତମ କାରଣ। ଅନ୍ୟପଟେ, ସେପ୍ଟେମ୍ବରରେ କୋଇଲାଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ ୧୩.୩ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ଚାହିଦା ଅନୁଯାୟୀ ଯୋଗାଣ ହୋଇପାରିନାହିଁ।
ଗ୍ରିଡ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ, ଦେଶର ପ୍ରାୟ ୪୭ ପ୍ରତିଶତ କୋଇଲାଭିତ୍ତିକ ବିଦ୍ୟୁତ୍ କେନ୍ଦ୍ରରେ ଆବଶ୍ୟକତାର ଏକ-ଚତୁର୍ଥାଂଶରୁ କମ୍ କୋଇଲା ମହଜୁଦ ଥିଲା। ଏଥିସହ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ମଧ୍ୟ ଯୋଗାଣ ପ୍ରଭାବିତ ହୋଇଛି।
ଅସ୍ୱାଭାବିକ ଗରମ ଯୋଗୁଁ ଏସି ଓ କୁଲର୍ ବ୍ୟବହାର ବଢ଼ିବା ସହ ଚାଷଜମିରେ ଜଳସେଚନ ପାଇଁ ବିଦ୍ୟୁତ୍ ଚାହିଦା ବଢ଼ିଛି। ଏଭଳି ସ୍ଥିତିରେ ବିଦ୍ୟୁତ୍ ଯୋଗାଣ ବଢ଼ାଇବା ଏବଂ ଅଭାବ ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।



