ଜନ୍ତରମନ୍ତରରେ ଆନ୍ଦୋଳନ ନକରିବା ସର୍ତ୍ତରେ ମୁକୁଳିଲେ ୨ ସିଜେପି ନେତା

ନୂଆଦିଲ୍ଲୀ: ଜନ୍ତରମନ୍ତରରେ ପ୍ରତିବାଦ ପାଇଁ ଆହ୍ୱାନ ନଦେବା ଏବଂ ଶାନ୍ତି ବଜାୟ ରଖିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଦୁଇ ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ନ୍ୟାୟିକ ହେପାଜତରୁ ମୁକ୍ତ କରାଯାଇଛି। ବୁଧବାର ସ୍ପେଶାଲ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ରିତୁ ରାଜ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆଇନ ଅନୁଯାୟୀ ଜନ୍ତରମନ୍ତରର ପ୍ରତିବାଦ ସ୍ଥଳର ମାନ୍ୟତା ରଦ୍ଦ ନହେବା ପର୍ଯ୍ୟନ୍ତ ସେଠାରେ ଆନ୍ଦୋଳନ ପାଇଁ ଆହ୍ୱାନ ଦେବେ ନାହିଁ ବୋଲି ଉଭୟ ଲିଖିତ ଭାବେ ଜଣାଇଛନ୍ତି। ଏଥିସହ ଶାନ୍ତି ଭଙ୍ଗ ନକରିବା ଓ ସମ୍ବିଧାନର ପରିସର ମଧ୍ୟରେ ପ୍ରତିବାଦ କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଉଭୟଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ୍ ଓ ସମାନ ମୂଲ୍ୟର ଜାମିନ ବଣ୍ଡ୍ ଦାଖଲ କରିବାକୁ ପଡ଼ିଛି।
ଦିଲ୍ଲୀ ପୁଲିସ ଶାନ୍ତି ଭଙ୍ଗ ଆଶଙ୍କା ଦର୍ଶାଇ ଆଉ ତିନି ଦିନ ହେପାଜତ ଅବଧି ବଢ଼ାଇବାକୁ ଦାବି କରିଥିଲା। ତେବେ ଲିଖିତ ପ୍ରତିଶ୍ରୁତି ପରେ ଆଉ ହେପାଜତରେ ରଖିବା ଆବଶ୍ୟକ ନାହିଁ ବୋଲି ମାଜିଷ୍ଟ୍ରେଟ୍ କହିଛନ୍ତି।
ଅକ୍ଟୋବର ୧୩ରେ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସ୍ଆଇଆର୍)ରେ ଅନିୟମିତତା ଅଭିଯୋଗ କରି ପ୍ରତିବାଦ କରୁଥିବା ବେଳେ ଦାସ ଓ ରାଙ୍କାଙ୍କ ସମେତ ୧୪ ଜଣଙ୍କୁ ଅଟକ ରଖାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ଅପରାହ୍ଣ ୩ଟାରେ ହେବ।



