ପିଏମ୍-କିଷାନର ୨୪ତମ କିସ୍ତି ଜାରି, ୯.୩୪ କୋଟି ଚାଷୀଙ୍କୁ ମିଳିଲା ଟଙ୍କା

ପିଏମ୍-କିଷାନ ଯୋଜନାର ୨୪ତମ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ପିଏମ୍-କିଷାନ ଉତ୍ସବ ଦିବସ କାର୍ଯ୍ୟକ୍ରମରେ ସେ ଦେଶର ୯.୩୪ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ୧୮,୬୯୦ କୋଟି ଟଙ୍କା ପଠାଇଛନ୍ତି। ଏହି ଅର୍ଥରାଶି ସିଧାସଳଖ ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି।
ଏହି ଅବସରରେ ମୋଦୀ କହିଛନ୍ତି, ପିଏମ୍-କିଷାନ ଯୋଜନା ଲକ୍ଷ ଲକ୍ଷ କ୍ଷୁଦ୍ର ଚାଷୀଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ପାଲଟିଛି। ଗୁଜରାଟର ୫୦ ଲକ୍ଷରୁ ଅଧିକ ଚାଷୀ ଏହି କିସ୍ତିରୁ ଉପକୃତ ହୋଇଛନ୍ତି। ଏହି ଯୋଜନା ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଖାତାକୁ ପଠାଯାଇଛି।
ଏହି ଯୋଜନାରେ ଯୋଗ୍ୟ ଚାଷୀ ପରିବାରକୁ ବର୍ଷକୁ ୬ ହଜାର ଟଙ୍କା ତିନୋଟି କିସ୍ତିରେ ମିଳିଥାଏ। ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଏହି ଅର୍ଥ ପଠାଯାଏ।
କାର୍ଯ୍ୟକ୍ରମରେ ମୋଦୀ କୃଷି କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ। ଗହମ ଓ ଧାନ ଚାଷୀଙ୍କୁ ଏମ୍ଏସ୍ପି ବାବଦରେ ଗତ ୧୨ ବର୍ଷରେ ୨୪ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ମଧ୍ୟ ସେ କହିଥିଲେ।
ଏହା ସହ ବନାସକାଣ୍ଠାରେ ୧୨୭ ଏକର ପରିମିତ ଗୋ ପ୍ରଜନନ ଓ ଗବେଷଣା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମୋଦୀ। କୃଷି ଓ ପଶୁପାଳନ କ୍ଷେତ୍ରରେ ବିଜ୍ଞାନ ଏବଂ ନବସୃଜନର ଉପଯୋଗ ଚାଷୀଙ୍କ କଲ୍ୟାଣକୁ ଆହୁରି ଆଗକୁ ନେବ ବୋଲି ସେ ମତ ଦେଇଛନ୍ତି।
କିସ୍ତି ଟଙ୍କା ଖାତାକୁ ଆସିନଥିଲେ ଚାଷୀମାନେ ପିଏମ୍-କିଷାନ ଯୋଜନାର ସରକାରୀ ୱେବସାଇଟ୍ରେ ନିଜର ହିତାଧିକାରୀ ସ୍ଥିତି ଯାଞ୍ଚ କରିପାରିବେ।



