ବାତ୍ୟା ପରବର୍ତ୍ତୀ ବର୍ଷା ପାଇଁ ପୁଣି ବାତିଲ ହେଲା ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ପୁଣି ଥରେ ବାତିଲ ହୋଇଛି। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପାଣିପାଗ ସ୍ଥିତି ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଗସ୍ତ ସ୍ଥଗିତ ରଖାଯାଇଥିବା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର ସୂଚନା ଦେଇଛନ୍ତି। ଏହା ଦ୍ୱିତୀୟ ଥର ପାଇଁ ଗସ୍ତ ବାତିଲ ହୋଇଛି।
ପ୍ରଥମେ ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ରାଇରଙ୍ଗପୁର ଗସ୍ତ ସ୍ଥିର ହୋଇଥିଲା। ବାତ୍ୟା ଆଶଙ୍କା ଯୋଗୁଁ ଏହାକୁ ବାତିଲ କରାଯାଇଥିଲା। ପରେ ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଗସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା। ମାତ୍ର ବାତ୍ୟା ପରବର୍ତ୍ତୀ ବର୍ଷା ଓ ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଛି।
କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ନଭେମ୍ବର ୩ରେ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପଶ୍ଚିମବଙ୍ଗର କୋଲେଇକୁଣ୍ଡାରେ ପହଞ୍ଚିବା ପରେ ସଡ଼କ ପଥରେ ରାଇରଙ୍ଗପୁର ଯାଇଥାନ୍ତେ। ଏହି ଗସ୍ତରେ ବହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର, ମାହୁଲଡିହାର ଲକ୍ଷ୍ମୀମଣ୍ଡପ, ନିଜ ବାସଭବନ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ କଚେରି ପଡ଼ିଆ ଯିବାର ଯୋଜନା ଥିଲା।
ଏହାବ୍ୟତୀତ ସ୍ପୋର୍ଟସ୍ କମ୍ପ୍ଲେକ୍ସ, ବିକାଶ ନଗର, ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଓ ଟାଉନ୍ ହଲ୍ରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ରହିଥିଲା। ରାଷ୍ଟ୍ରପତିଙ୍କ ନୂଆ ଗସ୍ତ ତାରିଖ ପରେ ଘୋଷଣା କରାଯିବ ବୋଲି ସାଂସଦ ନବଚରଣ ମାଝୀ କହିଛନ୍ତି।



