Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଚାନ୍ଦିପୁରରେ ମିସାଇଲ ପରୀକ୍ଷଣ, ୨୫୨୪ ଜଣ ସ୍ଥାନାନ୍ତର

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ରରୁ ମଙ୍ଗଳବାର ଅପରାହ୍ଣରେ ମିସାଇଲ ପରୀକ୍ଷଣ ହେବାକୁ ଯାଉଛି। ଏଥିପାଇଁ ପରୀକ୍ଷଣ କେନ୍ଦ୍ରର ୨ କିଲୋମିଟର ପରିଧି ମଧ୍ୟରେ ଥିବା ଗାଁଗୁଡ଼ିକରୁ ୨୫୨୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପରୀକ୍ଷଣ ପାଇଁ ପ୍ରତିରକ୍ଷା ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସଦର ବିଡିଓ ଉତ୍ତମ ଜେନାଙ୍କ ସୂଚନା ଅନୁଯାୟୀ, ପରୀକ୍ଷଣ କେନ୍ଦ୍ରର ୧ରୁ ୨ କିଲୋମିଟର ପରିଧି ମଧ୍ୟରେ ୬ଟି ଗାଁ ରହିଛି। ଏହି ଗାଁଗୁଡ଼ିକର ପ୍ରାୟ ୨୫୦୦ରୁ ୨୬୦୦ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୬ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଜୟଦେବ କସବା ଓ ଖଡୁପାହିରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ଅନ୍ୟ ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି।

 

ସ୍ଥାନାନ୍ତର ପୂର୍ବରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡ଼ିରେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇଛି। ସେଠାରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହ ଦୈନିକ ମଜୁରି ବାବଦରେ ଆର୍ଥିକ ସହାୟତା ଦିଆଯାଇଛି। ଲୋକଙ୍କ ସୁରକ୍ଷା ପାଇଁ ମେଡିକାଲ ଟିମ୍‌ ଓ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି।

ଯୋଜନା ଅନୁଯାୟୀ, ଅପରାହ୍ଣ ୩ଟାରୁ ୫ଟା ମଧ୍ୟରେ ଲଞ୍ଚପ୍ୟାଡ୍‌ରୁ ମିସାଇଲ ପରୀକ୍ଷଣ କରାଯିବ। ତେବେ କେଉଁ ମିସାଇଲ ପରୀକ୍ଷଣ ହେବ, ସେ ସମ୍ପର୍କରେ ଆଧିକାରିକ ଭାବେ କୌଣସି ତଥ୍ୟ ଦିଆଯାଇନାହିଁ। ପରୀକ୍ଷଣ ପାଇଁ ପ୍ରତିରକ୍ଷା ବିଭାଗର ବରିଷ୍ଠ ବୈଜ୍ଞାନିକ, ଅଧିକାରୀ ଓ କର୍ମଚାରୀମାନେ କେନ୍ଦ୍ରରେ ଉପସ୍ଥିତ ଅଛନ୍ତି।

Show More

Related Articles

Back to top button