ଫୁକେଟରେ ଅଗ୍ନିକାଣ୍ଡରେ ୧୧ ମୃତ, ୧୬ ଆହତ

ଥାଇଲ୍ୟାଣ୍ଡର ପର୍ଯ୍ୟଟନସ୍ଥଳୀ ଫୁକେଟର ପାଟୋଙ୍ଗ ବିଚ୍ ଅଞ୍ଚଳରେ ଏକ ବାଣିଜ୍ୟିକ କୋଠାରେ ନିଆଁ ଲାଗି ୧୧ ଜଣଙ୍କ ଜୀବନ ଯାଇଛି। ଏହି ଅଗ୍ନିକାଣ୍ଡରେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୫ ଜଣ ଥାଇ ନାଗରିକ ଓ ଜଣେ ମିଆଁମାର ନାଗରିକ ଅଛନ୍ତି। ଏହି ଘଟଣାରେ କୌଣସି ପର୍ଯ୍ୟଟକ ପ୍ରଭାବିତ ହୋଇନାହାନ୍ତି।
ସୋମବାର ଭୋର ପ୍ରାୟ ୩ଟା ୧୭ ମିନିଟ୍ରେ କୋଠାର ପ୍ରଥମ ମହଲାରେ ନିଆଁ ଲାଗିଥିଲା। କୋଠାର ତଳ ମହଲାରେ ୧୦୦ରୁ ଅଧିକ ମୋଟରସାଇକେଲ ରଖାଯାଇଥିଲା। ନିଆଁ ସେଗୁଡ଼ିକୁ ଗ୍ରାସ କରିବା ପରେ ଉପର ମହଲାକୁ ଦ୍ରୁତଗତିରେ ବ୍ୟାପିଥିଲା। ଫଳରେ ପ୍ରବଳ ଧୂଆଁ ଯୋଗୁଁ ଆବାସିକ ମହଲାରେ ଥିବା ଲୋକେ ଫସି ଯାଇଥିଲେ। ଅଧିକାଂଶ ମୃତକଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଥିବା ଜଣାପଡ଼ିଛି।
ଅଗ୍ନିଶମ କର୍ମଚାରୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ନିଆଁ ଲିଭାଇଥିଲେ। ପ୍ରାଥମିକ ତଦନ୍ତରେ ନିକଟସ୍ଥ ବିଦ୍ୟୁତ୍ ଖୁଣ୍ଟରେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଥିରେ ପାଞ୍ଚଟି ବାଣିଜ୍ୟିକ ୟୁନିଟ୍ ଓ ୧୦୦ରୁ ଅଧିକ ବାଇକ୍ ନଷ୍ଟ ହୋଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚାଲିଛି।



