ଶୀତ ଅଧିବେଶନ ପୂର୍ବରୁ ସୁରକ୍ଷା କଡ଼ାକଡ଼ି, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବସିବ ସପ୍ତଦଶ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନକୁ ନେଇ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। କମିଶନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ସହ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୋଲିସ ଡିଜି ବିନୟତୋଷ ମିଶ୍ର ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ବିଭିନ୍ନ ପ୍ରସ୍ତୁତି ଯାଞ୍ଚ କରିଛନ୍ତି।
ଏପଟେ ଅଧିବେଶନ ପରିଚାଳନା ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଶାସକ ବିଜେପି ଓ ବିରୋଧୀ ବିଜେଡି, କଂଗ୍ରେସର ନେତାମାନେ ସାମିଲ ହୋଇଛନ୍ତି।
ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ପ୍ରତାପ ଦେବ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ ଅଛନ୍ତି।
ଅଧିବେଶନରେ ଗୃହ କାର୍ଯ୍ୟ କିପରି ବାଧାମୁକ୍ତ ଭାବେ ଚାଲିବ, ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ହେବ ଏବଂ ଶାସକ-ବିରୋଧୀଙ୍କ ମଧ୍ୟରେ ସମନ୍ୱୟ ରହିବ, ସେନେଇ ବୈଠକରେ ମତ ବିନିମୟ ହେଉଛି। ଅନ୍ୟପଟେ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପ୍ରସ୍ତୁତି ମଧ୍ୟ ଚର୍ଚ୍ଚାରେ ରହିଛି।



