ତାଜମହଲ ବୁଲିବାକୁ ପାକ୍ ମନ୍ତ୍ରୀଙ୍କ ଆଗ୍ରହ, ମିଳିଲାନି ଭାରତ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ଏସ୍ସିଓ ବୈଠକରେ ଯୋଗଦେବାକୁ ଭାରତ ଆସିଥିବା ପାକିସ୍ତାନର ମନ୍ତ୍ରୀ ମୁଶାଦିକ ମଲ୍ଲିକ ଆଗ୍ରାର ତାଜମହଲ ଓ ଦିଲ୍ଲୀର ନିଜାମୁଦ୍ଦିନ ଦର୍ଘା ପରିଦର୍ଶନ କରିବାକୁ ଇଚ୍ଛା ଜଣାଇଛନ୍ତି। ହେଲେ ଏହି ଦୁଇ ସ୍ଥାନକୁ ଯିବା ପାଇଁ ତାଙ୍କୁ ଏଯାଏଁ ଭାରତ ସରକାରଙ୍କ ଅନୁମତି ମିଳିନାହିଁ।
ନଭେମ୍ବର ୨୦ରୁ ୨୨ ତାରିଖ ଯାଏଁ ନୂଆଦିଲ୍ଲୀରେ ଆୟୋଜିତ ଏସ୍ସିଓ ବୈଠକରେ ଯୋଗଦେବା ଲାଗି ମଲ୍ଲିକ ଭାରତ ଆସିଛନ୍ତି। ତାଙ୍କ ଗସ୍ତକୁ କେବଳ ବୈଠକରେ ଅଂଶଗ୍ରହଣ ପର୍ଯ୍ୟନ୍ତ ସୀମିତ ରଖାଯାଇଛି। ଅନ୍ୟ କୌଣସି ସ୍ଥାନକୁ ଯିବାକୁ ହେଲେ ଭାରତ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ସୁରକ୍ଷା ସମ୍ପର୍କିତ ଦିଗକୁ ନଜରରେ ରଖି ମଲ୍ଲିକଙ୍କ ଅନୁରୋଧ ଉପରେ ବିଚାର କରାଯାଉଛି।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର କୌଣସି ମନ୍ତ୍ରୀଙ୍କ ଏହା ପ୍ରଥମ ଭାରତ ଗସ୍ତ। ଏହା ପୂର୍ବରୁ ୨୦୨୩ରେ ଗୋଆରେ ଆୟୋଜିତ ଏସ୍ସିଓ ବୈଠକରେ ତତ୍କାଳୀନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଯୋଗ ଦେଇଥିଲେ।
୨୦୦୧ରେ ଚୀନ୍ର ସାଂଘାଇଠାରେ ଏସ୍ସିଓ ଗଠନ ହୋଇଥିଲା। ୨୦୧୭ରେ ଭାରତ ଓ ପାକିସ୍ତାନ ଏବଂ ୨୦୨୩ରେ ଇରାନ ଏହାର ସ୍ଥାୟୀ ସଦସ୍ୟତା ଗ୍ରହଣ କରିଥିଲେ।



