ଓଡିଶା ପରେ ବେଙ୍ଗାଲୁରରେ ବାଗଚୀ ଦମ୍ପତିଙ୍କ ବଡଦାନ
ସମାଜର ହିତ ସାଧନ ନିମନ୍ତେ ଓଡ଼ିଶା ପରେ ପୁଣି ଥରେ ଦାନ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ

ଭୁବନେଶ୍ୱର : ସମାଜର ହିତ ସାଧନ ନିମନ୍ତେ ଓଡ଼ିଶା ପରେ ପୁଣି ଥରେ ଦାନ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ । ବେଙ୍ଗାଲୁରୁସ୍ଥିତ ଦେଶର ପ୍ରସିଦ୍ଧ ବିଜ୍ଞାନ ଓ ଗବେଷଣା ଶିକ୍ଷାନୁଷ୍ଠାନ ଭାରତୀୟ ବିଜ୍ଞାନ ସଂସ୍ଥାନ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ) ପରିସରରେ ଏକ ମେଡିକାଲ କଲେଜ ଓ ୮୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ପ୍ରତିଷ୍ଠା ପାଇଁ ବାଗଚୀ ଦମ୍ପତି ଏବଂ ରାଧା ଓ ଏନ.ପାର୍ଥସାରଥୀ ୪୨୫ କୋଟି ଟଙ୍କା ଦାନ କରିଛନ୍ତି । ପାର୍ଥସାରଥୀଙ୍କ ସହ ମିଶି ନିର୍ମାଣ କରିବେ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର । ଏହି ହସ୍ପିଟାଲକୁ ବାଗଚୀ- ପାର୍ଥସାରଥୀ ନାମରେ ନାମକରଣ କରାଯିବ ।
ସୂଚନାଯୋଗ୍ୟ ଯେ, ଏନ. ପାର୍ଥସାରଥୀ ହେଉଛନ୍ତି ମାଇଣ୍ଡ ଟ୍ରିର ଅନ୍ୟତମ ପ୍ରତିଷ୍ଠାତା ଓ ସୁବ୍ରତ ବାଗଚୀଙ୍କ ପୂର୍ବତନ ସହଯୋଗୀ ।
କୋଭିଡର ପ୍ରଥମ ଲହର ସମୟରେ ଓଡିଶାବାସୀଙ୍କୁ ସତର୍କ ଓ ନିୟମାବଳୀ କରାଇଥିବା ସୁବ୍ରତ ବାଗଚୀ ଓଡିଶାରେ କ୍ୟାନସର ହସ୍ପିଟାଲ ଏବଂ ପାଲିଏଟିଭ କେୟାର କେନ୍ଦ୍ର ସ୍ଥାପନ ପାଇଁ ୩୪୦ କୋଟି ଟଙ୍କା ସରକାରଙ୍କୁ ଦାନ କରିଥିଲେ । ଏ ନେଇ ବାଗଚୀ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଏ ସଂପର୍କରେ ନିଜର ମତ ରଖି ସୁସ୍ମିତା ବାଗଚୀ କହିଛନ୍ତି ଯେ, ଭାରତୀୟ ବିଜ୍ଞାନ ସଂସ୍ଥାନ ସହ ଯୋଡ଼ି ହୋଇଥିବାରୁ ଆମେ ଆନନ୍ଦିତ । ଆମ ଦେଶରେ କେବଳ ସରକାର କିମ୍ବା କର୍ପୋରେଟ ଜଗତ ଚାହିଁଲେ ମେଡିକାଲ ଗବେଷଣା ହୋଇପାରିବ ନାହିଁ । ଏଥିପାଇଁ ଆମ ପରି ଲୋକମାନଙ୍କୁ ଆଗେଇ ଆସିବାକୁ ହେବ ।



