ପୁଞ୍ଜି ବଜାରକୁ ଫେରିଲା ଚମକ
ସୋମବାର ପୁଞ୍ଜି ବଜାରରେ ହାହାକାର ପରେ ମଙ୍ଗଳବାର ଆସିଛି ସୁଧାର । ଆଜି ସେୟାର ବଜାରରେ ସୁଧାର ସହ ବଡ ବୃଦ୍ଧି ଦେଖିବାକୁ ମିଳିଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କରେ ବର୍ଷର ସବୁଠାରୁ ବଡ଼ ବୃଦ୍ଧି ଘଟିଛି । ୧୭୩୬.୨୧ ଅଙ୍କ ଅର୍ଥାତ ୩.୦୮ ପ୍ରତିଶତ ବଢି ୫୮,୧୪୨.୦୫ ପଏଣ୍ଟରେ କାରବାର ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୫୦୯.୬୫ ଅଙ୍କ ଅର୍ଥାତ୍ ୩.୦୩ ପ୍ରତିଶତ ବଢି ୧୭,୩୫୨.୪୫ ସ୍ତରରେ ବନ୍ଦ ହୋଇଛି।
ଆଜି ସେନସେକ୍ସ ୩୫୩.୫୮ ଅଙ୍କ ବୃଦ୍ଧି ସହ କାରବାର ଆରମ୍ଭ କରିଥିଲା । ସେହିପରି ନିଫ୍ଟି ୧୦୩.୬୦ ଅଙ୍କ ବଢି ୧୬୯୪୬.୪୦ ପଏଣ୍ଟରୁ କାରବାର ଆରମ୍ଭ କରିଥିଲା। ମଙ୍ଗଳବାର ବି ନିଫ୍ଟିର ସମସ୍ତ ବିଭାଗ ସବୁଜ ସଂକେତରେ ବନ୍ଦ ହୋଇଥିଲା । ଅଟୋ ସେକ୍ଟରରେ ସବୁଠାରୁ ବଡ ବୃଦ୍ଧି ଦେଖିବାକୁ ମିଳିଛି । ଏହା ୪.୦୧ ପ୍ରତିଶତ ବଢିଛି । ବ୍ୟାଙ୍କ,ଫାଇନାନ୍ସ,ସର୍ଭିସ, ଆଇଟି, ମିଡିଆ, ପିଏସସି ବ୍ୟାଙ୍କ, ପ୍ରାଇଭେଟ ବ୍ୟାଙ୍କରେ ତିନି ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପଟେ ଏଫଏମସିଜି ଏବଂ ମେଟଲରେ ଯଥାକ୍ରମେ ୨.୧୮ ଏବଂ ୨.୨୧ ପ୍ରତିଶତ ବୃଦ୍ଧି ହୋଇଛି । ଫର୍ମାରେ ୦.୭୯ ପ୍ରତିଶତ ବୃଦ୍ଧି ହୋଇଛି ।