
ଭୁବନେଶ୍ୱର, ୧୫ା୪: ଓଡ଼ିଶାର ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ମନୋହର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବିଶ୍ୱମଞ୍ଚରେ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଅଲ୍ ଫର୍ ଟୁରିଜମ୍’ ଶୀର୍ଷକରେ ଏକ ବିଶେଷ ରିପୋର୍ଟ ତିଆରି ହୋଇଛି, ଯାହା ମାଧ୍ୟମରେ ଓଡ଼ିଶାକୁ ଏସିଆରେ ଏକ ପ୍ରମୁଖ ଇକୋ-ପର୍ଯ୍ୟଟନ ଓ ସାଂସ୍କୃତିକ ଗନ୍ତବ୍ୟ ଭାବେ ପରିଚିତ କରାଇବା ଲକ୍ଷ୍ୟ ରହିଛି।
‘ଥିଙ୍କ୍ ଇଣ୍ଡିଆ-ଥିଙ୍କ୍ ଓଡ଼ିଶା’ ଧାରଣା ମାଧ୍ୟମରେ ରାଜ୍ୟକୁ ଆନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଆଗକୁ ଆଣିବା ପାଇଁ ଯୋଜନା ହୋଇଛି। ଏଥିପାଇଁ ସମସ୍ତ ବିଭାଗର ସମନ୍ୱିତ ସହଯୋଗ ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏପ୍ରିଲ ୪ରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ପର୍ଯ୍ୟଟନ ବିଭାଗର ସଚିବ ବଲ୍ଓ୍ବନ୍ତ ସିଂ ଏହି ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ। ସେ କହିଥିଲେ, ସ୍ଥାୟୀ ପର୍ଯ୍ୟଟନ ପ୍ରଚଳନକୁ ପ୍ରୋତ୍ସାହନ ଦେଇ ପ୍ରାକୃତିକ ଓ ସାଂସ୍କୃତିକ ସମ୍ପଦର ସୁରକ୍ଷା ସହ ସ୍ଥାନୀୟ ଲୋକଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରାଯିବ।
ରାଜ୍ୟ ସରକାର ୨୦୪୭ ସୁଦ୍ଧା ଓଡ଼ିଶାକୁ ଗ୍ଲୋବାଲ୍ ଇକୋ-ଟୁରିଜମ୍ ଓ ସାଂସ୍କୃତିକ ପର୍ଯ୍ୟଟନରେ ଏକ ଅଗ୍ରଣୀ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ପାଇଁ ଦୂରଦୃଷ୍ଟିସମ୍ପନ୍ନ ପରିକଳ୍ପନା, ଲକ୍ଷ୍ୟମୂଳକ ନିବେଶ ଓ ପର୍ଯ୍ୟଟନ ଢାଞ୍ଚାଗତ ବିକାଶକୁ ଗୁରୁତ୍ୱ ଦିଆଯାଇଛି।
ଏହି ଯୋଜନା ଅନୁଯାୟୀ, ତିନୋଟି ମୁଖ୍ୟ ଦିଗକୁ ଗୁରୁତ୍ୱ ଦିଆଯାଇଛି—ରାଜ୍ୟ ସରକାରଙ୍କ ନୀତିଗତ ସମର୍ଥନ, ବେସରକାରୀ ନିବେଶ ଓ ପିପିପି (PPP) ମୋଡ୍ରେ ପ୍ରକଳ୍ପ ବିକାଶ। ‘ଅଲ୍ ଫର୍ ଟୁରିଜମ୍’ ଅଭିଯାନ ଅଧୀନରେ ସମସ୍ତ ବିଭାଗକୁ ପର୍ଯ୍ୟଟନ ବିକାଶରେ ସକ୍ରିୟ ଭୂମିକା ନେବାକୁ କୁହାଯାଇଛି।
ବିଶେଷକରି ପର୍ଯ୍ୟଟନ ସଂପର୍କିତ ଢାଞ୍ଚାଗତ ବିକାଶ, ଶୀଘ୍ର ଅନୁମୋଦନ ପ୍ରକ୍ରିୟା, ବ୍ରାଣ୍ଡିଙ୍ଗ୍, ପରିଚାଳନା ଓ ରକ୍ଷଣାବେକ୍ଷଣକୁ ଅଧିକ ଗୁରୁତ୍ୱ ଦିଆଯିବ।
ପର୍ଯ୍ୟଟନ ବିଭାଗ ସହ ଅନ୍ୟ ବିଭାଗମାନଙ୍କ ଯୋଗାଯୋଗ ଓ ସମନ୍ୱୟ ଆବଶ୍ୟକ ବୋଲି ସଚିବ ଉଲ୍ଲେଖ କରିଥିବାବେଳେ, ମୁଖ୍ୟ ସଚିବ ଅନୁ ଗର୍ଗ ସମସ୍ତ ବିଭାଗକୁ ତୁରନ୍ତ ଓ ନିରନ୍ତର ସହଯୋଗ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ପର୍ଯ୍ୟଟକ ଅନୁଭବ ଉନ୍ନତ ହେବା ସହ ସ୍ଥାନୀୟ ଅର୍ଥନୀତି ଶକ୍ତିଶାଳୀ ହେବ ଏବଂ ଓଡ଼ିଶା ଦେଶୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପସନ୍ଦୀୟ ଗନ୍ତବ୍ୟ ଭାବେ ଉଭୟ ହେବ ବୋଲି ଆଶା କରାଯାଉଛି।



