ମୁଖ୍ୟ ଖବରରାଜନୀତି

ପୱନ ଖେଡ଼ାଙ୍କୁ ଝଟକା: ଅନ୍ତରୀଣ ଜାମିନ୍ ସ୍ଥଗିତ କଲା ସୁପ୍ରିମକୋର୍ଟ

 

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଆସାମରେ ଦାୟର ଏକ ଏଫଆଇଆର ମାମଲାରେ ତାଙ୍କୁ ମିଳିଥିବା ଟ୍ରାଞ୍ଜିଟ୍ (ଆଗୁଆ) ଜାମିନକୁ ସୁପ୍ରିମକୋର୍ଟ ସ୍ଥଗିତ କରିଛି।

ଏହି ମାମଲାର ମୂଳରେ ରହିଛି ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ବିରୋଧରେ ଖେଡ଼ା କରିଥିବା ଅଭିଯୋଗ। ସେ ଏକାଧିକ ପାସପୋର୍ଟ ରଖିବା ନେଇ ଅଭିଯୋଗ ଉଠାଇଥିଲେ, ଯାହାକୁ ନେଇ ଆସାମରେ ଏଫଆଇଆର ଦାୟର ହୋଇଥିଲା।

ପୂର୍ବରୁ ଟେଲେଙ୍ଗାନା ହାଇକୋର୍ଟ ଖେଡ଼ାଙ୍କୁ ଗୋଟିଏ ସପ୍ତାହ ପାଇଁ ଟ୍ରାଞ୍ଜିଟ୍ ଜାମିନ ଦେଇଥିଲା। କିନ୍ତୁ ଏହି ଆଦେଶକୁ ଆସାମ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ଏହାପରେ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଖଣ୍ଡପୀଠ ଟ୍ରାଞ୍ଜିଟ୍ ଜାମିନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ସେହିସହିତ, କୋର୍ଟ ପୱନ ଖେଡ଼ାଙ୍କୁ ନୋଟିସ ଜାରି କରି ୩ ସପ୍ତାହ ମଧ୍ୟରେ ତାଙ୍କର ପକ୍ଷରୁ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।

ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଖେଡ଼ା ଚାହିଲେ ସମ୍ପୃକ୍ତ ଆସାମ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିପାରିବେ ଏବଂ ଏହି ଆଦେଶ ତାହାରେ କୌଣସି ବାଧା ସୃଷ୍ଟି କରିବ ନାହିଁ।

ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ହେବାକୁ ଥିବାବେଳେ, ସମସ୍ତ ପକ୍ଷଙ୍କୁ ସେତେବେଳ ପର୍ଯ୍ୟନ୍ତ ନିଜ ମତାମତ ଓ ପ୍ରତିକ୍ରିୟା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି।

Show More

Related Articles

Back to top button