
ଡେରାଡୁନ୍: ୨୦୧୬ ମସିହାର ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ (ଭିପିଡିଓ) ପରୀକ୍ଷାରେ କଥିତ ଅନିୟମିତତା ସମ୍ପର୍କିତ ମନି ଲଣ୍ଡରିଂ ତଦନ୍ତରେ ଡେରାଡୁନ୍ର ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ କରିଛି। ଏହି କ୍ରମରେ କଂଗ୍ରେସ ନେତା ତଥା ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ସିଂହ ରାୱତଙ୍କ ପୂର୍ବତନ ଓଏସ୍ଡି ଚନ୍ଦନ ସିଂହ ଜୀନାଙ୍କ ବାସଭବନରେ ମଧ୍ୟ ତଲାସୀ କରାଯାଇଛି। ତାଙ୍କ ଠାରୁ ପ୍ରାୟ ୧.୨୮ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଇଡି ପକ୍ଷରୁ କୁହାଯାଇଛି।
ଇଡି ଅନୁସାରେ, ଜୀନାଙ୍କ ଘରୁ ୩୨ ଲକ୍ଷ ଟଙ୍କାର ହିସାବ ନଥିବା ନଗଦ, ପ୍ରାୟ ୨୦୦.୫ ଗ୍ରାମ୍ ଓଜନର ୧୩ଟି ସୁନା ମୁଦ୍ରା ଓ ୭ଟି ସୁନା ଚେନ୍ ସହ ୧୨ଟି ଦାମୀ ହାତଘଡ଼ି ମିଳିଛି। ଘଡ଼ିଗୁଡ଼ିକର ମୂଲ୍ୟ ଆକଳନ ପରେ ଜବତ ସମ୍ପତ୍ତିର ମୋଟ ମୂଲ୍ୟ ଆହୁରି ବଢ଼ିପାରେ।
ତଦନ୍ତରେ ଭିପିଡିଓ ପରୀକ୍ଷାର ଓଏମ୍ଆର୍ ଉତ୍ତରପତ୍ରଗୁଡ଼ିକୁ ସୁରକ୍ଷିତ ହେପାଜତରୁ ବାହାର କରି ତତ୍କାଳୀନ ୟୁକେଏସ୍ଏସ୍ଏସି ସଚିବଙ୍କ ବ୍ୟକ୍ତିଗତ ବାସଭବନକୁ ନିଆଯାଇଥିବା ଇଡି ଦାବି କରିଛି। ସେଠାରେ ଖାଲି ଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ରୋଲ୍ ନମ୍ବର ଚିହ୍ନଟ କରି ବେସରକାରୀ କମ୍ପ୍ୟୁଟର ଏଜେନ୍ସିର କର୍ମଚାରୀଙ୍କୁ ଦିଆଯାଇଥିବା ଏବଂ ଟଙ୍କା ବିନିମୟରେ ଉତ୍ତର ବବଲ୍ରେ ଜାଲିଆତି କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଏଜେନ୍ସି କହିଛି।
ଜୀନା ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଖାତାରେ ଥିବା ମୋଟ ୫୨ ଲକ୍ଷ ଟଙ୍କାର ଜମାରାଶିକୁ ମଧ୍ୟ ଇଡି ଫ୍ରିଜ୍ କରିଛି। ତାଙ୍କ ମୋବାଇଲ୍ ଫୋନ୍ ଜବତ କରି ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି। ଏହାସହ ଅନ୍ୟ କେତେକ ପୂର୍ବତନ ୟୁକେଏସ୍ଏସ୍ଏସି ଅଧିକାରୀ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ମଧ୍ୟ ହିସାବ ନଥିବା ନଗଦ ଓ ସୁନା ଅଳଙ୍କାର ଜବତ ହୋଇଥିବା ଇଡି କହିଛି।


