Breaking PLUSଦେଶମୁଖ୍ୟ ଖବରରାଜନୀତି

ଏସ୍‌ଆଇଆର୍‌ ବିବାଦରେ ସିଇସିଙ୍କୁ ଟାର୍ଗେଟ, ଇସ୍ତଫା ଦାବି କଲେ ପାୱନ ଖେଡ଼ା

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ନେତା ପାୱନ ଖେଡ଼ା। ସିଇସିଙ୍କ ବିରୋଧରେ ଏସ୍‌ଆଇଟି ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ପ୍ରସଙ୍ଗରେ ଖେଡ଼ା କହିଛନ୍ତି ଯେ, ଜ୍ଞାନେଶ କୁମାର ନିଜେ ଇସ୍ତଫା ଦେଇଦେବା ତାଙ୍କ ହିତରେ ହେବ।

ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଜ୍ଞାନେଶ କୁମାରଙ୍କୁ ଅତି କମ୍‌ରେ ପଦ୍ମଭୂଷଣ ମିଳିବା ଉଚିତ ବୋଲି କହିଥିବା ନେଇ ମଧ୍ୟ ଖେଡ଼ା ବ୍ୟଙ୍ଗ କରିଛନ୍ତି। ସେ କହିଛନ୍ତି, ପଦ୍ମଭୂଷଣ ତ ବହୁତ ଛୋଟ କଥା, ତାଙ୍କୁ ପ୍ରଧାନମନ୍ତ୍ରୀ ହିଁ କରିଦେବା ଉଚିତ।

ଏହାସହ ଏସ୍‌ଆଇଆର୍‌ ସମୟରେ ବୁଥ୍‌ ଲେଭଲ ଅଫିସରଙ୍କ ଆପ୍‌ରେ ‘ମାର୍କ ଭିଆଇପି’ ଫିଚର ଯୋଡ଼ାଯାଇଥିବା ନେଇ ଖେଡ଼ା ପ୍ରଶ୍ନ ଉଠାଇଛନ୍ତି। କିଛି ଭୋଟରଙ୍କୁ ଭିଆଇପି ଭାବେ ଚିହ୍ନଟ କରିବାର ଏହି ବ୍ୟବସ୍ଥା କାହା ନିର୍ଦ୍ଦେଶରେ ଆରମ୍ଭ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ, ବିଚାରପତି, ଆଇଏଏସ୍‌-ଆଇପିଏସ୍‌, ମିଡିଆକର୍ମୀ ଓ ଅନ୍ୟମାନଙ୍କୁ ଭିଆଇପି ଭାବେ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଥିବା ନେଇ ସେ କିଛି ମିଡିଆ ରିପୋର୍ଟର ଉଲ୍ଲେଖ କରିଛନ୍ତି।

ନିର୍ବାଚନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠୁଥିବା ପ୍ରସଙ୍ଗରେ ଖେଡ଼ା ଦାବି କରିଛନ୍ତି ଯେ, ନିର୍ବାଚନ ଆୟୋଗ ଓ ସରକାର ଭିତରୁ ମଧ୍ୟ ଚିନ୍ତାର ସ୍ୱର ଶୁଣାଯାଉଛି। ତେବେ ଏସ୍‌ଆଇଆର୍‌ ସମ୍ପର୍କିତ ନିଷ୍ପତ୍ତି ତିନିଜଣ ନିର୍ବାଚନ କମିଶନରଙ୍କ ସମ୍ମତିରେ ନିଆଯାଇଥିବା ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି।

Show More

Related Articles

Back to top button