Breaking PLUSଓଡ଼ିଶାଦେଶମୁଖ୍ୟ ଖବର

୨୮ରୁ ୩ ଦିନ ବ୍ୟାଙ୍କ ଧର୍ମଘଟ, ଆଗୁଆ ଜରୁରୀ କାମ ସାରିବାକୁ ପରାମର୍ଶ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୮ରୁ ଦେଶବ୍ୟାପୀ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିବାରୁ ଗ୍ରାହକଙ୍କୁ ଜରୁରୀ ବ୍ୟାଙ୍କିଂ କାରବାର ଆଗୁଆ ସାରିବାକୁ ପରାମର୍ଶ ଦିଆଯାଇଛି। ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ଏଥିରେ ଦେଶର ପ୍ରାୟ ୯୦ ପ୍ରତିଶତ ବ୍ୟାଙ୍କିଂ କର୍ମଚାରୀଙ୍କ ପ୍ରତିନିଧିତ୍ୱ ଥିବା ଦାବି କରାଯାଇଛି।

ପାଞ୍ଚ ଦିନିଆ ବ୍ୟାଙ୍କିଂ ସପ୍ତାହ ଲାଗୁ, ପେନ୍‌ସନ୍‌ ସମ୍ପର୍କିତ ସଂସ୍କାର ଓ କର୍ମଚାରୀଙ୍କ ଅନ୍ୟାନ୍ୟ ଦାବି ପୂରଣ ପାଇଁ ୟୁନିଅନ୍‌ଗୁଡ଼ିକ ଦାବି କରିଛନ୍ତି। ଧର୍ମଘଟ ଯୋଗୁଁ ବ୍ୟାଙ୍କ ଶାଖାର ସାଧାରଣ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଗ୍ରାହକଙ୍କ ଅସୁବିଧା କମାଇବା ପାଇଁ ସେପ୍ଟେମ୍ବର ୨୭ ରବିବାର ସରକାରୀ ବ୍ୟାଙ୍କ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ ଜରୁରୀ କାରବାର ସାରିବାକୁ ଗ୍ରାହକଙ୍କୁ କୁହାଯାଇଛି।

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗ୍ରାହକଙ୍କୁ ଧର୍ମଘଟ ସମୟରେ କିଛି ସେବା ପ୍ରଭାବିତ ହୋଇପାରେ ବୋଲି ସତର୍କ କରିଛନ୍ତି। ଏଥିପାଇଁ ୟୋନୋ, ଇଣ୍ଟରନେଟ୍‌ ବ୍ୟାଙ୍କିଂ, ମୋବାଇଲ୍‌ ବ୍ୟାଙ୍କିଂ, ୟୁପିଆଇ, ଏଟିଏମ୍‌ ଓ କ୍ୟାଶ୍‌ ଡିପୋଜିଟ୍‌ ମେସିନ୍‌ ଭଳି ଡିଜିଟାଲ୍‌ ସେବା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ମଧ୍ୟ ଆନ୍ଦୋଳନରେ ସାମିଲ ହେବାର ଆଶଙ୍କା ରହିଛି। ତେବେ ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ଭଳି ନୂଆ ପିଢ଼ିର ଘରୋଇ ବ୍ୟାଙ୍କଗୁଡ଼ିକର ସେବା ସାଧାରଣ ଭାବେ ଚାଲିବା ଆଶା କରାଯାଉଛି।

ଅନ୍ୟପକ୍ଷରେ, ଧର୍ମଘଟ ନକରି ଆଲୋଚନା ମାଧ୍ୟମରେ ଦାବିର ସମାଧାନ କରିବାକୁ ଅର୍ଥ ମନ୍ତ୍ରାଳୟ ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକୁ ଅନୁରୋଧ କରିଛି।

Show More

Related Articles

Back to top button