ଦୁର୍ଘଟଣାମୁଖ୍ୟ ଖବର

ତେଲେଙ୍ଗାନାର ଔଷଧ କାରଖାନାରେ ବିସ୍ଫୋରଣ: ଜଣେ ମୃତ, ୮ ଆହତ

ହାଇଦ୍ରାବାଦ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର ଏକ ଔଷଧ ଉତ୍ପାଦନ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।
ଚିଟ୍ୟାଳ ମଣ୍ଡଳର ଭେଲିମିନେଡୁ ଗ୍ରାମ ପାଖରେ ଥିବା ଫାର୍ମା ୟୁନିଟ୍‌ରେ ଏହି ଘଟଣା ଘଟିଥିଲା। କାରଖାନାର ତୃତୀୟ ବ୍ଲକ୍‌ରେ କାମ ଚାଲିଥିବା ବେଳେ ରିଆକ୍ଟର ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା।
ଖବର ପାଇ ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳକୁ ପହଞ୍ଚି ଅଗ୍ନିନିର୍ବାପଣ କାମ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଘନ ଧୂଆଁ ଛାଇଯାଇଥିଲା।
ଆହତମାନଙ୍କୁ ତୁରନ୍ତ ନାରକେଟପଲ୍ଲୀ ଅବସ୍ଥିତ କାମିନେନି ମେଡିକାଲ୍ ସଂସ୍ଥାନକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୋଡୁ ବାଳକୃଷ୍ଣ (୩୦) ନାମକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଦୁଇ ଆହତଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି।
ଏହି ମାସରେ ଏହି କାରଖାନାରେ ଏହା ଦ୍ୱିତୀୟ ଦୁର୍ଘଟଣା। ଏପ୍ରିଲ ୯ ତାରିଖରେ ମଧ୍ୟ ଏପରି ବିସ୍ଫୋରଣରେ ୨ ଜଣ ଆହତ ହୋଇଥିଲେ।
ଏହି ଘଟଣା ପରେ ପୋଲିସ ମହାନିର୍ଦ୍ଦେଶକ ସି.ଭି. ଆନନ୍ଦ ରାସାୟନିକ କାରଖାନାର ଦୁର୍ଘଟଣା ସମୟରେ ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ବିଶେଷ ପ୍ରଶିକ୍ଷଣ ଦେବାକୁ କହିଛନ୍ତି। ସେ ଅନ୍ୟ ବିଭାଗ ସହିତ ସମନ୍ୱୟ ବଢ଼ାଇବାକୁ ମଧ୍ୟ ଉଲ୍ଲେଖ କରିଛନ୍ତି।
ଗତ ବର୍ଷ ସଙ୍ଗାରେଡ୍ଡି ଜିଲ୍ଲାରେ ଘଟିଥିବା ଏକ ବଡ଼ ଶିଳ୍ପ ଦୁର୍ଘଟଣାରେ ୫୪ ଜଣ ମୃତ୍ୟୁ ଓ ୨୮ ଜଣ ଆହତ ହୋଇଥିଲେ, ଯାହା ରାଜ୍ୟର ସବୁଠାରୁ ଭୟାବହ ଦୁର୍ଘଟଣା ମଧ୍ୟରୁ ଗୋଟିଏ ଥିଲା।

Show More

Related Articles

Back to top button