
ଭୁବନେଶ୍ୱର: କାଳବୈଶାଖୀର ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଦୁଃଖଦ ଘଟଣା। ନୀଳାଦ୍ରି ବିହାର ସ୍ଥିତ ସୋମନାଥ ବସ୍ତିରେ ବଜ୍ରପାତ ହେବାରୁ ଗୋଟିଏ ଘର ଭାରୀ କ୍ଷତିଗ୍ରସ୍ତ ହୋଇଥିବା ସହ ଏକ ପରିବାରର ୩ ଜଣ ସଦସ୍ୟ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି।
ବଜ୍ରପାତର ତୀବ୍ରତାରେ ଘରର ଛପର ଉଡ଼ିଯାଇଥିଲା ଓ ଘର ଭିତରେ ଥିବା ସଦସ୍ୟମାନେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗମ୍ଭୀର ହେବାରୁ ସେମାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ, ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଘଡ଼ଘଡ଼ି, ବଜ୍ରପାତ ଓ ବର୍ଷାରେ ସାଧାରଣ ଜନଜୀବନ ବିପର୍ୟସ୍ତ ହୋଇପଡ଼ିଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ପୁନି ସତର୍କତା ଜାରି କରାଯାଇଛି। ୪ଟି ଜିଲ୍ଲା ପାଇଁ ଅରେଞ୍ଜ ଓ ୨୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ଭୁବନେଶ୍ୱର ଓ କଟକରେ ଗତ ସନ୍ଧ୍ୟାରୁ ଲାଗାତାର ବର୍ଷା ହେଉଥିବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।



