
ଭୁବନେଶ୍ୱର: ଟ୍ରାନ୍ସଜେଣ୍ଡର ସମୁଦାୟର ଅଧିକାର ସୁରକ୍ଷା, ସମାଜିକ ସମାବେଶ ଓ ସମଗ୍ର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡ ମାଧ୍ୟମରେ ଟ୍ରାନ୍ସଜେଣ୍ଡର ମଣିଷମାନଙ୍କ ପାଇଁ ଶିକ୍ଷା, ଚାକିରି, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ଯୋଜନାଗୁଡ଼ିକୁ ଅଧିକ ସୁଚାରୁ ଭାବେ କାର୍ଯ୍ୟକରୀ କରାଯିବ।
ନବଗଠିତ ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ରହିବେ। ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ, ଯେଉଁଥିରେ ବିଭାଗର ନିର୍ଦେଶକ ସଦସ୍ୟ ସଚିବ ଭାବେ କାମ କରିବେ। ବୋର୍ଡରେ ରାଜ୍ୟ ପୁଲିସ ମହାନିର୍ଦେଶକ ଓ ବିଭାଗର ଅତିରିକ୍ତ ସଚିବଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ବିଭିନ୍ନ ମୁଖ୍ୟ ବିଭାଗ—ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତ ରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ପ୍ରତିନିଧିମାନେ ବୋର୍ଡର ସଦସ୍ୟ ଭାବେ ଯୋଗ ଦେବେ। ଏହା ଦ୍ୱାରା ଟ୍ରାନ୍ସଜେଣ୍ଡର ସମ୍ବନ୍ଧୀୟ ଯୋଜନାଗୁଡ଼ିକୁ ବିଭିନ୍ନ ବିଭାଗର ସମନ୍ୱୟରେ ଆଗକୁ ନିଆଯିବା ସହଜ ହେବ।
ଟ୍ରାନ୍ସଜେଣ୍ଡର ସମୁଦାୟର ସକ୍ରିୟ ଭାଗୀଦାରିକୁ ଗୁରୁତ୍ୱ ଦେଇ ବୋର୍ଡରେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଡକ୍ଟରେଟ୍ ଧାରୀ ଦୀପ୍ତି ମହାପାତ୍ର ଓ ଅଧିକାର କର୍ମୀ ସୌମ୍ୟ ଦାସଙ୍କୁ ସଦସ୍ୟ କରାଯାଇଛି। ସେହିପରି ଭୁବନେଶ୍ୱରସ୍ଥିତ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ଓ ବାଲୁଗାଁର ଚେତନା ସଂଗଠନର ପ୍ରତିନିଧିମାନେ ମଧ୍ୟ ବୋର୍ଡରେ ଅଂଶଗ୍ରହଣ କରିବେ।
ଏଥି ସହିତ ବଲାଙ୍ଗୀର, ଅନୁଗୋଳ ଓ ଖୋର୍ଦ୍ଧା ଜିଲ୍ଲାପାଳମାନେ ପର୍ଯ୍ୟାୟକ୍ରମେ ବୋର୍ଡର ସଦସ୍ୟ ଭାବେ ଯୋଗ ଦେବେ, ଯାହା ଦ୍ୱାରା ଜିଲ୍ଲାସ୍ତରରେ ଯୋଜନାର କାର୍ଯ୍ୟନ୍ୱୟନ ଓ ନିରୀକ୍ଷଣ ସୁନିଶ୍ଚିତ ହେବ।
ସରକାରଙ୍କ ମତାନୁସାରେ, ଏହି ବୋର୍ଡ ଗଠନ ଟ୍ରାନ୍ସଜେଣ୍ଡର ସମୁଦାୟଙ୍କୁ ସମାନ ଅଧିକାର ଦେବା ସହ ତାଙ୍କର ଜୀବନମାନ ଉନ୍ନତିରେ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ।



