
କୋଲକାତା: ପଶ୍ଚିମବଙ୍ଗର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ରାଜ୍ୟର ହାରାଇଥିବା ଗୌରବକୁ ଫେରାଇ ଆଣିବା ଏବେ ତାଙ୍କ ସରକାରର ସବୁଠାରୁ ବଡ଼ ଲକ୍ଷ୍ୟ। ଶିକ୍ଷା, ସଂସ୍କୃତି ଓ ବିକାଶ କ୍ଷେତ୍ରରେ ପଶ୍ଚିମବଙ୍ଗକୁ ପୁଣିଥରେ ଆଗକୁ ନେବା ପାଇଁ ସରକାର କାମ କରିବ ବୋଲି ସେ କହିଛନ୍ତି।
ରବୀନ୍ଦ୍ରନାଥ ଠାକୁରଙ୍କ ଜନ୍ମଜୟନ୍ତୀ ଅବସରରେ କୋଲକାତାର ଜୋରାସାଙ୍କୋ ଠାକୁରବାଡ଼ି ପରିଦର୍ଶନ ପରେ ସୁଭେନ୍ଦୁ କହିଥିଲେ ଯେ, ଗତ କିଛି ବର୍ଷ ଧରି ବଙ୍ଗ ଅନେକ କ୍ଷେତ୍ରରେ କ୍ଷତି ସହିଛି। ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ସାଂସ୍କୃତିକ ପରିବେଶ ପ୍ରଭାବିତ ହୋଇଥିବାରୁ ଏହାର ପୁନର୍ଗଠନ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଏବେ ସରକାରର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କ ଆଶା ପୂରଣ କରିବା। ଅନ୍ୟଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ବିକାଶମୂଳକ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି।



