ଆଜି ଗୁଜରାଟ ଗାନ୍ଧୀନଗରରୁ ମୁମ୍ବାଇକୁ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପତାକା ଦେଖାଇ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ।
ଧାନମନ୍ତ୍ରୀ ଏହି ନୂତନ ଓ ଉନ୍ନୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଏହା ଚଳାଚଳ ଶୁଭାରମ୍ଭ କରିବା ସହ ଏଥିରେ କାଳୁପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଯାତ୍ରା କରୁଥିବା ରେଳ ବିଭାଗ କର୍ମଚାରୀଙ୍କ ପରିବାର ସଦସ୍ୟ, ମହିଳା ଉଦ୍ୟୋଗପତି, ଗବେଷକ ଓ ଯୁବକ ଯୁବତୀଙ୍କ ସହ ଯାତ୍ରାକାଳରେ ମତବିନିମୟ ମଧ୍ୟ କରିଥିଲେ ।
ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଚଳାଚଳ କରିବା ଦ୍ୱାରା ଭାରତର ଦୁଇ ବ୍ୟାବସାୟିକ କେନ୍ଦ୍ର ମଧ୍ୟରେ ସଂଯୋଗ ଆଶାତୀତ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଗୁଜରାଟରୁ ମୁମ୍ବାଇ ଓ ମୁମ୍ବାଇରୁ ଗୁଜରାଟ ଯାତ୍ରା କରିବା ସହ ବ୍ୟୟବହୁଳ ବିମାନଯାତ୍ରାରୁ ମଧ୍ୟ ରକ୍ଷା ପାଇବେ । ବନ୍ଦେ ଭାରତ ଏକ୍ସପ୍ରେସ ୨.୦ରେ ଗାନ୍ଧୀନଗରରୁ ମୁମ୍ବାଇ ପହଞ୍ଚିବା ନିମନ୍ତେ ପ୍ରାୟ ଛଅରୁ ସାତ ଘଣ୍ଟା ଲାଗିବ।
ଏହି ଟ୍ରେନ ହେଉଛି ଏକ ସେମି ହାଇ ସ୍ପିଡ ଟ୍ରେନ। ଏହା ଏକ ସ୍ବୟଂ ଚାଳିତ ଇଞ୍ଜିନ ଟ୍ରେନ। ଏହାର ଅଲଗା ଇଞ୍ଜିନ ନାହିଁ। ଏଥିରେ ସ୍ବୟଂଚାଳିତ କବାଟ, ଏସି କୋଚ ଏବଂ ଏକ ଘୂର୍ଣ୍ଣନ ଚେୟାର ଅଛି ଯାହା ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଘୂର୍ଣ୍ଣନ କରିପାରିବ।