ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା

ଭୁବନେଶ୍ୱର, ୧୨ ମଇ :ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ରାଜ୍ୟ ଏବଂ ଦେଶବ୍ୟାପୀ ସମସ୍ତ ନର୍ସଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କର ନିସ୍ୱାର୍ଥ ସେବାଭାବ ଓ ସମର୍ପଣର ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆରେ ଜାରି ହୋଇଥିବା ନିଜ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସଂସ୍କୃତିରେ “ସେବା ପରମୋ ଧର୍ମଃ” ଭାବନାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି ଏବଂ ନର୍ସମାନେ ନିଜର କରୁଣାମୟ ବ୍ୟବହାର ଓ ମାନବତା ପ୍ରତି ଅକ୍ଲାନ୍ତ ସମର୍ପଣ ମାଧ୍ୟମରେ ଏହି ଆଦର୍ଶକୁ ସାକାର କରୁଛନ୍ତି। ସେ କହିଛନ୍ତି ଯେ, ନର୍ସମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଆଧାରଶିଳା, ଯେଉଁମାନେ କଠିନ ପରିସ୍ଥିତିରେ ମଧ୍ୟ ରୋଗୀଙ୍କ ସେବାରେ ନିରନ୍ତର ନିୟୋଜିତ ରହୁଛନ୍ତି। ସମାଜ ପ୍ରତି ସେମାନଙ୍କର ଅମୂଲ୍ୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇ ସେମାନଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା କାମନା କରିଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିବା ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ଦେଶବ୍ୟାପୀ ସମସ୍ତ ନର୍ସଙ୍କ ନିସ୍ୱାର୍ଥ ସେବା, ବୃତ୍ତିଗତ କୌଶଳ ଏବଂ ରୋଗୀ ସେବା ପ୍ରତି ସେମାନଙ୍କର ଅବିରତ ସମର୍ପଣ ପାଇଁ ମୁଁ ହୃଦୟଙ୍ଗମ କୃତଜ୍ଞତା ଜଣାଉଛି।ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସେମାନଙ୍କର ଅବଦାନ ଏବଂ କଠିନ ସମୟରେ ବ୍ୟକ୍ତି ଓ ପରିବାରମାନଙ୍କୁ ସହଯୋଗ କରିବାରେ ସେମାନଙ୍କର ଭୂମିକା ଗଭୀର ଭାବରେ ମୂଲ୍ୟାଙ୍କନ ଓ ସମ୍ମାନିତ ହୋଇଆସୁଛି।
ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କୁ ଶୁଭକାମନା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତିୟ ସେବିକା ଦିବସ ଅବସରରେ ସମସ୍ତ ନର୍ସ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ନିଷ୍ଠା, ସେବାଭାବ ଓ ମାନବତାର ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆପଣମାନଙ୍କ ବହୁମୂଲ୍ୟ ଅବଦାନ ପାଇଁ ଅଶେଷ ଧନ୍ୟବାଦ।



