
ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନିଧନ ପରେ ଇଂଲଣ୍ଡ ରାଜବଂଶର ଉତ୍ତରାଧିକାରୀ ହୋଇଛନ୍ତି ତାଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲସ । ରାଣୀଙ୍କ ବଡ ପୁଅ ହୋଇଥିବାରୁ ପରମ୍ପରା ଅନୁଯାୟୀ ପ୍ରିନ୍ସ ଚାର୍ଲସ ଇଂଲଣ୍ଡ ରାଜବଂଶର ଉତ୍ତରାଧିକାରୀ ହୋଇଛନ୍ତି। ରାଜବଂଶର ଉତ୍ତରାଧିକାରୀ ଭାବେ ରାଜା ହୋଇଥିବାରୁ କିଙ୍ଗ୍ ଚାର୍ଲସଙ୍କୁ ଆଜି ବିଧିବଦ୍ଧ ଭାବେ ରାଜାଭିଷେକ କରାଯିବ।
ପୂର୍ବାହ୍ନ ୧୦ଟା ସେଣ୍ଟ ଜେମ୍ସ ରାଜପ୍ରାସାଦରେ କିଙ୍ଗ୍ ଚାର୍ଲସ ରାଜାଭାବେ ଏବଂ ତାଙ୍କ ପତ୍ନୀ କାମିଲା ମହାରାଣୀ ଭାବେ ଅଭିଷିକ୍ତ ହୋଇଛନ୍ତି। ଏଥିପାଇଁ ଉଭୟ ରାଜା ଓ ରାଣୀ ସ୍କଟଲାଣ୍ଡରୁ ଆସି ବଙ୍କିଙ୍ଗହାମ ରାଜପ୍ରାସାଦରେ ପହଞ୍ଚିଛନ୍ତି। ରାଜପ୍ରାସାଦରେ ଆସିବା ସମୟରେ ଉଭୟ ରାଜା ଓ ରାଣୀଙ୍କୁ ସାଧାରଣ ଜନତା ସ୍ବାଗତ କରିଥିଲେ। ମହାରାଣୀ ଅଭିଷିକ୍ତ ହେବା ସମୟରେ କାମିଲାଙ୍କୁ କୋହିନୂର ହୀରା ଖଚିତ ରାଣୀ ଏଲିଜାବେଥଙ୍କ ମୁକୁଟକୁ ପିନ୍ଧାଯିବ।ରାଜାଭିଷେକ ପୂର୍ବରୁ ଆକସେସନ୍ କାଉନସିଲର ବୈଠକ ବସି କିଙ୍ଗ ଚାର୍ଲସଙ୍କୁ ରାଜବଂଶର ଉତ୍ତରାଧିକାରୀ ଘୋଷଣା କରାଯିବ।
ରାଜାଭିଷେକ ହେବା ପରେ କିଙ୍ଗ ଚାର୍ଲସ୍ ୩ୟ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ପତ୍ତିର ମଧ୍ୟ ଉତ୍ତରାଧିକାରୀ ହେବେ। ରାଣୀଙ୍କ ନାମରେ ଏବେ ୫୦୦ ନିୟୁତ ପାଉଣ୍ଡର ବ୍ୟକ୍ତିଗତ ସମ୍ପତ୍ତି ରହିଛି।ବ୍ରିଟେନ ସମେତ ଅନ୍ୟ ୧୪ଟି ରାଜ୍ୟଗୋଷ୍ଠୀ ଦେଶରେ ତାଙ୍କୁ ରାଜା ରୂପେ ମାନ୍ୟତା ମିଳିବ। ୧୯୪୮ ମସିହାରେ ଲଣ୍ଡନରେ ଜନ୍ମ ହୋଇଥିବା ଚାର୍ଲସଙ୍କୁ ବର୍ତ୍ତମାନ ୭୩ ବର୍ଷ। ୧୯୭୦ ମସିହାରେ ସେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ପରେ କେମ୍ବ୍ରିଜରୁ ସେ କଳାରେ ସାତକୋତ୍ତର ଡିଗ୍ରି ପାଇଥିଲେ।
୧୯୮୧ ମସିହାରେ ଚାର୍ଲସ ଲେଡି ଡାଏନା ସ୍ପେନସରଙ୍କୁ ବିବାହ କରିଥିଲେ। ଏହାପରେ ଡାଏନା ୱେଲ୍ସର ରାଜକୁମାରୀ ହୋଇଥିଲେ। ଚାର୍ଲସ ଏବଂ ଡାଏନାଙ୍କର ଦୁଇଟି ପୁଅ ଅଛନ୍ତି। ସେମାନେ ହେଲେ ପ୍ରିନ୍ସ ୱିଲିଆମ ଏବଂ ହ୍ୟାରି। ୱିଲିଆମ କର୍ନୱାଲ ଓ କେମ୍ବ୍ରିଜର ଶାସକ ଥିବାବେଳେ ହ୍ୟାରି ସସେକ୍ସର ଶାସକ ଅଛନ୍ତି।ଡାଏନାଙ୍କ ସହ ବିବାହ ପୂର୍ବରୁ ଚାର୍ଲସ କାମିଲା ପାର୍କର ବାଓ୍ୱେଲସ ନାମକ ଜଣେ ମହିଳାଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ କାମିଲା ପୂର୍ବରୁ ବିବାହିତା ଥିଲେ। ଏହି କାରଣୁ ବ୍ରିଟେନ ରାଜ ପରିବାର ଏଥିପାଇଁ ରାଜି ହୋଇନଥିଲା। କୁହାଯାଏ ଚାର୍ଲସ ବାଧ୍ୟହୋଇ ଡାଏନାଙ୍କୁ ଚୟନ କରିଥିଲେ। ଡାଏନା ଅତ୍ୟନ୍ତ ସୁନ୍ଦରୀ ଥିବାରୁ ଚାର୍ଲସ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କେବଳ ସେତିକି ନୁହେଁ, ୮୦ ଦଶକର ବଳିଉଡ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରେଙ୍କ ନାମ ପ୍ରିନ୍ସ ଚାର୍ଲସଙ୍କ ସହ ଯୋଡି ହୋଇଥିଲା। ୧୯୮୦ରେ ଦିନେ ଚାର୍ଲସ ଭାରତ ଗସ୍ତରେ ଥିଲେ। ଏହି ସମୟରେ ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ପଦ୍ମିନୀ ଚାର୍ଲସଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।