
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ୍ରେ ଶୁଣାଣି ହୋଇଛି। ମୌସୁମୀ ଓ ଅଣମୌସୁମୀ ସମୟରେ କେତେ ଜଳ ପ୍ରବାହ ହେଉଛି, ସେନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲ୍କୁ ଅବଗତ କରାଯାଇଛି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଏହି ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।
ଦୀର୍ଘଦିନ ଧରି ଚାଲୁଥିବା ଏହି ବିବାଦରେ ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ ଓ ବାଲି ବନ୍ଧ ନିର୍ମାଣ କରି ଜଳ ଅଟକାଇବା ଅଭିଯୋଗ ହୋଇଆସୁଛି, ଯାହାର ପ୍ରଭାବରେ ତଳମୁଣ୍ଡରେ ଓଡ଼ିଶା ପାଖକୁ ପର୍ଯ୍ୟାପ୍ତ ଜଳ ପହଞ୍ଚୁନାହିଁ। ବିଶେଷକରି ଅଣମୌସୁମୀ ଋତୁରେ ମହାନଦୀ ଶୁଷ୍କ ଅବସ୍ଥାରେ ପହଞ୍ଚୁଥିବା ନେଇ ଚିନ୍ତା ବଢ଼ିଛି।
ଏହି ପରିସ୍ଥିତିରେ ଟ୍ରିବ୍ୟୁନାଲ୍ର ରାୟ ଉପରେ ମହାନଦୀର ଭବିଷ୍ୟତ୍ ନିର୍ଭର କରୁଥିବା ବେଳେ ଏଯାଏଁ କୌଣସି ସ୍ପଷ୍ଟ ନିଷ୍କର୍ଷ ଆସିନାହିଁ। ତଥାପି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ମିଳିବା ନେଇ ଆଶା ରହିଛି। ଏହିପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ଏଯାଏଁ ମୂଳସ୍ତରରେ କାମ ଆରମ୍ଭ କରିନାହିଁ।



