କୃଷ୍ଣନଗରରେ ମୋଦୀଙ୍କ ଗର୍ଜନ: “ଭୋଟର ଭିଡ଼ ଯେଉଁଠାରେ, ବିଜେପିର ବଡ଼ ବିଜୟ ସେଇଠି”

ନୂଆଦିଲ୍ଲୀ/କୃଷ୍ଣନଗର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଦିଆ ଜିଲ୍ଲାର କୃଷ୍ଣନଗରରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ବିଜେପିର ବିଜୟ ପ୍ରତି ଦୃଢ଼ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ, ଦେଶର ଇତିହାସ ସାକ୍ଷୀ ଯେଉଁଠାରେ ଭୋଟରଙ୍କ ଅଧିକ ସମାଗମ ହୋଇଥାଏ, ସେଠାରେ ଭାରତୀୟ ଜନତା ପାର୍ଟି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରେ।
ଏପଟେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ମତଦାନ ଚାଲିଥିବା ବେଳେ, ଲୋକମାନେ ଦୀର୍ଘ ଧାଡ଼ିରେ ଠିଆ ହୋଇ ଭୋଟ ଦେଉଛନ୍ତି। ଅନ୍ୟପଟେ ମୋଦୀ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରକୁ ତୀବ୍ର କରିଛନ୍ତି। ରାଲିରେ ଜମା ହୋଇଥିବା ଭିଡ଼ ଦେଖି ସେ ଖୁସି ବ୍ୟକ୍ତ କରି କହିଥିଲେ ଯେ, ଏଥର ବଙ୍ଗଳାରେ ବଡ଼ ପରିବର୍ତ୍ତନ ନିଶ୍ଚିତ।
ମୋଦୀ ବଙ୍ଗଳାର ଲୋକଙ୍କ ଉତ୍ସାହ ଓ ରାଜନୈତିକ ସଚେତନତାର ପ୍ରଶଂସା କରିଥିଲେ। ସେ କହିଥିଲେ, ମେ ୪ରେ ଫଳାଫଳ ଆସିବା ପରେ ସମଗ୍ର ରାଜ୍ୟରେ ବିଜେପିର ବିଜୟ ଉତ୍ସବ ପାଳିତ ହେବ ଓ ମିଠା ସହ ଝାଲମୁଢ଼ି ବଣ୍ଟନ ହେବ।
ତାଙ୍କ ଭାଷଣରେ ସେ ତୃଣମୂଳ କଂଗ୍ରେସ ସରକାରକୁ ଟାର୍ଗେଟ କରି ଅଭିଯୋଗ କରିଥିଲେ ଯେ, ଟିଏମସି ନେତାମାନେ ମିଶି ଏକ ସିଣ୍ଡିକେଟ୍ ଚାଲାଇ ଲୋକଙ୍କୁ ଶୋଷଣ କରୁଛନ୍ତି। ସେ ଦାବି କରିଥିଲେ ଯେ ଲୋକମାନଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ରହିଛି ଓ ଅନେକ ଜିଲ୍ଲାରେ ଟିଏମସି ଖାତା ମଧ୍ୟ ଖୋଲିପାରିବ ନାହିଁ।
ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, “ଜଙ୍ଗଲ ରାଜ”ର ସବୁଠାରୁ ବେଶି ପ୍ରଭାବ ମହିଳାମାନେ ଭୋଗୁଛନ୍ତି। ଶେଷରେ ସେ ଲୋକମାନଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜେପିକୁ ବିଜୟୀ କରିବାକୁ ଆହ୍ୱାନ କରିଥିଲେ।



