ଭାଇଙ୍କ ସ୍ୱାସ୍ଥ୍ୟ ଖବର ନେବାକୁ ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଯାଇଛନ୍ତି। ସେ ନିଜ ଅସୁସ୍ଥ ଜେଷ୍ଠ ଭାଇ ପ୍ରେମ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ଏହି ଯାତ୍ରା କରିଛନ୍ତି।
ସୂଚନା ଅନୁସାରେ, ପ୍ରେମ ପଟ୍ଟନାୟକ ଦିଲ୍ଲୀର ଏକ ଚିକିତ୍ସାଳୟରେ ଭର୍ତ୍ତି ହୋଇ ମଙ୍ଗଳବାର ହୃଦୟ ସମ୍ବନ୍ଧୀୟ ଅପରେଶନ କରାଇଥିଲେ। ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ନଜରରେ ରହିଛି।
ଦଳର ଜ୍ୟେଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, ଏହା ଏକ ବ୍ୟକ୍ତିଗତ ଯାତ୍ରା। ନବୀନ ପଟ୍ଟନାୟକ ଭାଇଙ୍କ ସହିତ ସମୟ କାଟିବା ସହ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଖୋଜଖବର ନେବେ।
ବିମାନବନ୍ଦରରେ ପ୍ରସ୍ଥାନ ପୂର୍ବରୁ ପ୍ରଣବ ପ୍ରକାଶ ଦାସ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଦାସ ବର୍ମା, ସଲୁକା ପ୍ରଧାନ ଓ ଟୁକୁନି ସାହୁ ସହିତ ଅନେକ ନେତା ନବୀନ ପଟ୍ଟନାୟକଙ୍କୁ ବିଦାୟ ଜଣାଇଥିଲେ।
ନବୀନ ପଟ୍ଟନାୟକ କିଛି ଦିନ ଦିଲ୍ଲୀରେ ରହି ଭାଇଙ୍କ ସୁସ୍ଥତା ପର୍ଯ୍ୟନ୍ତ ପରିବାର ସହିତ ସମୟ କାଟିବେ ବୋଲି ସୂଚନା ମିଳିଛି।



