
ଭୁବନେଶ୍ୱର: ଓଡ଼ିଆ ଚଳଚିତ୍ର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଓଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରବି ସ୍ୱାଇଁ ଆଉ ନାହାନ୍ତି। ସେ ୭୭ ବର୍ଷ ବୟସରେ ପରଲୋକଗମନ କରିଛନ୍ତି।
ସୂଚନା ଅନୁଯାୟୀ, ସେ ଦୀର୍ଘଦିନ ଧରି ଲିଭର ସିରୋସିସ୍ରେ ରୋଗରେ ପୀଡିତ ଥିଲେ। ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ସେଠାରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଥିଲା। ତାଙ୍କ ବିୟୋଗରେ ପରିବାର ସହ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ପିପିଲି ଅଞ୍ଚଳରେ ମଧ୍ୟ ଶୋକର ପରିବେଶ ଦେଖାଯାଇଛି। ସ୍ଥାନୀୟ ଲୋକ ଓ ସିନେପ୍ରେମୀମାନେ ଏକତ୍ରିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପୂର୍ବତନ ବିଧାୟକ ରୁଦ୍ର ମହୀରଥୀ ମଧ୍ୟ ଶୋକସଭାରେ ଯୋଗଦେଇ କହିଛନ୍ତି, “ରବି ସ୍ୱାଇଁଙ୍କ ଅବଦାନ ସଦା ସ୍ମରଣୀୟ। ତାଙ୍କ ବିୟୋଗ ଓଲିଉଡ ପାଇଁ ଅପୂରଣୀୟ କ୍ଷତି।”
୯୦ ଦଶକରେ ଓଡ଼ିଆ ସିନେମା ଜଗତରେ ରବି ସ୍ୱାଇଁ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ସେ “ଜୋର ଯାର ମୂଲକ ତାର”, “ଉଦଣ୍ଡି ସୀତା”, “କିହେବ ଶୁଆ ପୋଷିଲେ” ଓ “ପଞ୍ଜୁରୀ ଭିତରେ ଶାରୀ” ଭଳି ଅନେକ ସଫଳ ଚଳଚିତ୍ର ନିର୍ମାଣ କରିଥିଲେ। ତାଙ୍କର ଚଳଚିତ୍ରମାନେ କେବଳ ମନୋରଞ୍ଜନ ନୁହେଁ, ସମାଜକୁ ସଠିକ୍ ସନ୍ଦେଶ ଦେବାରେ ମଧ୍ୟ ଗୁରୁତ୍ୱ ଦେଇଥିଲା।
ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅବଦାନ
ସିନେମା ଜଗତ ସହିତ ସେ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ଥିଲେ। ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପିପିଲି ଓ ଆସପାସ ଅଞ୍ଚଳରେ ଶିକ୍ଷାର ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।



