Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ବର୍ଷେ

ଭୁବନେଶ୍ୱର- ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ବର୍ଷେ ପୂରଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସେବା ହିଁ ପରମ ଧର୍ମ” ଏହି ମାନବବାଦୀ ଦର୍ଶନକୁ ପାଥେୟ କରି ଆମ ସରକାର ସଦାସର୍ବଦା ଆପଣଙ୍କ ସେବାରେ ସମର୍ପିତ। ଜଣେ ବ୍ୟକ୍ତି ଯେତେବେଳେ ଅସୁସ୍ଥ ହୁଏ, ସେତେବେଳେ କେବଳ ତା’ର ଶରୀର କଷ୍ଟ ପାଏନି, ବରଂ ପୂରା ପରିବାର ମାନସିକ ଦୁଶ୍ଚିନ୍ତାରେ ଭାଙ୍ଗିପଡ଼େ। ଓଡ଼ିଶାର କୌଣସି ପରିବାର ଯେପରି ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ନ ହୁଏ, ସେହି ସଂକଳ୍ପ ନେଇ ଆଜିକୁ ଠିକ୍ ବର୍ଷେ ତଳେ ଆମେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଥିଲୁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଏହି ଯୋଜନାର ସଫଳ ବର୍ଷପୂର୍ତ୍ତି ଅବସରରେ ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଆମେ ରାଜ୍ୟର ଲକ୍ଷ ଲକ୍ଷ ମା’ ଓ ଭାଇମାନଙ୍କ ସେବା କରିବାର ସୁଯୋଗ ପାଇଛୁ। ବିଗତ ଏକ ବର୍ଷ ମଧ୍ୟରେ ମୁଁ ଅନେକ ପରିବାରର ସଂଘର୍ଷ ଓ ସଫଳତାର କାହାଣୀ ଶୁଣିଛି; କେଉଁଠି ଜଣେ ବୃଦ୍ଧ ବାପା ଚିକିତ୍ସା ପାଇଁ ଜମିବାଡ଼ି ବିକିବା ଭଳି ଅସହାୟତାରୁ ମୁକ୍ତି ପାଇ ନିଜର ଆତ୍ମସମ୍ମାନ ବଜାୟ ରଖିପାରିଛନ୍ତି, ତ କେଉଁଠି ଜଣେ ମା’ ହାତରେ ଆୟୁଷ୍ମାନ କାର୍ଡ ଧରି ସମ୍ପୂର୍ଣ୍ଣ ମର୍ଯ୍ୟାଦାର ସହ ଦେଶର ଶ୍ରେଷ୍ଠ ହସ୍ପିଟାଲଗୁଡ଼ିକରେ ନିର୍ଭୟରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଆମ ନାଗରିକଙ୍କ ପାଇଁ ଏହି ଯୋଜନା କେବଳ ଏକ ସରକାରୀ ସୁବିଧା ନୁହେଁ, ବରଂ ସେମାନଙ୍କ ପ୍ରତି ଆମ ସରକାରର ଭକ୍ତି ଓ ସମ୍ମାନର ପ୍ରତୀକ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାର ସଫଳ ସମନ୍ୱୟ ଆଜି ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏକ ବରଦାନ ସାଜିଛି। ଆପଣମାନଙ୍କର ଏହି ଆଶୀର୍ବାଦ ଓ ଅକୁଣ୍ଠ ବିଶ୍ୱାସ ହିଁ ମୋତେ ଅହୋରାତ୍ର କାମ କରିବାକୁ ସାହସ ଓ ଶକ୍ତି ଦେଉଛି। ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା।

ଆପଣ ସୁସ୍ଥ ରୁହନ୍ତୁ, ହସୁଥାନ୍ତୁ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଏତିକି ମୋର ପ୍ରାର୍ଥନା।

Show More

Related Articles

Back to top button