ଦରମା ବନ୍ଦକୁ ନେଇ ପାଚିକାଙ୍କ ଆନ୍ଦୋଳନ, ସରକାରୀ ପ୍ରତିଶ୍ରୁତି ପରେ ପ୍ରତ୍ୟାହାର

୩ ମାସ ଧରି ଦରମା ବନ୍ଦ ଓ ବିଭିନ୍ନ ସମସ୍ୟାକୁ ନେଇ ମଧ୍ୟାହ୍ନ ଭୋଜନ ପାଚିକାମାନେ ରାଜଧାନୀର ଲୋୟର ପିଏମଜିରେ ତୀବ୍ର ଆନ୍ଦୋଳନ କରିଥିଲେ। ‘ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ’ ପକ୍ଷରୁ ୭ ଦଫା ଦାବି ନେଇ ଚାରିଦିନ ଧରି ଧାରଣା ଜାରି ରହିଥିଲା।
ଦୀର୍ଘ ବର୍ଷ ଧରି କାମ କରିଥିବା ସତ୍ତ୍ୱେ ପାଚିକାମାନେ ନିଯୁକ୍ତିପତ୍ର ନ ପାଇବା, ଦୈନିକ କେବଳ ୮୦ ଟଙ୍କା ଦରମା ଓ ବକେୟା ଦେୟ ନ ମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଖରା ତାତିକୁ ଅଗ୍ରାହ୍ୟ କରି ହଜାରହଜାର ମହିଳା ଏହି ଆନ୍ଦୋଳନରେ ଯୋଗଦେଇଥିଲେ।
ଆନ୍ଦୋଳନ ସମୟରେ ଗାନ୍ଧୀମାର୍ଗକୁ ଅଗ୍ରସର ହେବାବେଳେ ପୋଲିସ ସହ ପାଚିକାମାନଙ୍କର ଧସ୍ତାଧସ୍ତି ଘଟିଥିଲା। ଏହା ପରେ ପରିସ୍ଥିତି ଉତ୍ତେଜନାମୂଳକ ହୋଇଯାଇଥିଲା।
ପାଚିକାମାନଙ୍କ ଦାବିମଧ୍ୟରେ ନିଯୁକ୍ତିପତ୍ର ପ୍ରଦାନ, ୧୨ ମାସର ଦରମା, ସର୍ବନିମ୍ନ ମଜୁରି ଅନୁଯାୟୀ ଦରମା ବୃଦ୍ଧି, ବକେୟା ଦେୟ ପ୍ରଦାନ ଓ ସାମାଜିକ ସ୍ୱୀକୃତି ଆଦି ମୁଖ୍ୟ ଥିଲା।
ଶେଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ଦାବିଗୁଡ଼ିକ ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ପାଚିକା ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ସରକାରଙ୍କ ଏହି ଆଶ୍ୱାସନ ପରେ ପରିସ୍ଥିତି ସାମାନ୍ୟ ହୋଇଛି।



