ପିକନିକ ହେଲା ଶେଷ ଯାତ୍ରା, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ: ପିକନିକ ପାଇଁ ମହାରାଷ୍ଟ୍ରର ରାୟଗଡ଼ ଜିଲାର ଦିଭେଗାର ଯାଇଥିବା ୮ ଜଣ ଛାତ୍ରଙ୍କ ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି। ଗୁରୁବାର ଦିଭେଗାର ସମୁଦ୍ରକୂଳରେ ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ମୃତକମାନେ ପୁଣେର ଆଲାଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଲାଣ୍ଡିର ଏକ ଘରୋଇ କୋଚିଂ କ୍ଲାସ ପକ୍ଷରୁ ଛାତ୍ରମାନଙ୍କୁ ନେଇ ପିକନିକ ଆୟୋଜନ କରାଯାଇଥିଲା। ଦିଭେଗାର ସମୁଦ୍ରକୂଳରେ ପହଞ୍ଚିବା ପରେ କିଛି ଛାତ୍ର ସମୁଦ୍ରକୁ ଯାଇଥିଲେ। ତେବେ ପାଣିର ଗଭୀରତା ଓ ପ୍ରଖର ଲହରୀ ଯୋଗୁଁ ସେମାନେ ବୁଡ଼ିଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକ ଓ ‘ମହାକାଳୀ ୱାଟର ସ୍ପୋର୍ଟସ’ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ସମୁଦ୍ରରୁ ସମସ୍ତ ୮ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହଗୁଡ଼ିକୁ ବୋର୍ଲି ପଞ୍ଚାଟନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।
ଘଟଣାକୁ ନେଇ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଛାତ୍ରମାନଙ୍କ ଅକାଳ ମୃତ୍ୟୁରେ ସେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହି ଘଟଣା ପରେ ଦିଭେଗାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



