ସୋମନାଥ ଦର୍ଶନ ସହ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଗୁଜରାଟ ଗସ୍ତରେ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଏକାଧିକ ଧାର୍ମିକ, ପ୍ରଶାସନିକ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ। ଦୁଇଦିନିଆ ଗସ୍ତ ଅବସରରେ ସେ ଜାମନଗର, ଗିର ସୋମନାଥ ଓ ଭଡୋଦରାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ।
ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ‘ସୋମନାଥ ଅମୃତ ମହୋତ୍ସବ’ରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଏହି ଅବସରରେ ସେ ବିଶେଷ ମହାପୂଜା, କୁମ୍ଭାଭିଷେକ ଓ ଧ୍ୱଜାରୋହଣ କାର୍ଯ୍ୟକ୍ରମରେ ଅଂଶ ନେବା ସହ ସ୍ମାରକ ଡାକ ଟିକେଟ୍ ଓ ସ୍ମୃତି ମୁଦ୍ରା ମୋଚନ କରିବେ।
ପରେ ଭଡୋଦରାରେ ନିର୍ମିତ ୧୫୦ କୋଟି ଟଙ୍କା ବ୍ୟୟର ‘ସରଦାର ଧାମ ଭବନ-୩’ର ଉଦ୍ଘାଟନ କରିବେ। ପ୍ରାୟ ୪.୭୫ ଲକ୍ଷ ବର୍ଗଫୁଟ୍ ପରିସରରେ ନିର୍ମିତ ଏହି କମ୍ପ୍ଲେକ୍ସରେ ରହିଛି ଆବାସିକ କକ୍ଷ, ଏନଆରଆଇ ଗେଷ୍ଟ ହାଉସ୍, ଇ-ଲାଇବ୍ରେରୀ, କ୍ୟାରିୟର ଗାଇଡାନ୍ସ ସେଣ୍ଟର ଓ ଅଡିଟୋରିୟମ୍।
ଏହି ଗସ୍ତ ସମୟରେ ପାଟିଦାର ସମୁଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ‘ସରଦାର ରତ୍ନ’ ସମ୍ମାନରେ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ରାଜ୍ୟର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ।



