Breaking PLUSଦେଶ

ଇଡି ଜାଲରେ ପଞ୍ଜାବ ମନ୍ତ୍ରୀ ସଞ୍ଜୀବ ଆରୋରା; ୭ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ

ଚଣ୍ଡିଗଡ଼: ପଞ୍ଜାବର ସ୍ଥାନୀୟ ସଂସ୍ଥା ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ଅସୁବିଧା ଆହୁରି ବଢ଼ିଛି। ଅର୍ଥ ଅନିୟମିତତା ଓ ସନ୍ଦେହଜନକ ଜମି କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଇଥିଲା। କୋର୍ଟ ଆରୋରାଙ୍କୁ ୭ ଦିନିଆ ଇଡି ରିମାଣ୍ଡକୁ ପଠାଇଛନ୍ତି।
ଦୀର୍ଘ ସମୟ ଧରି ପଚରାଉଚରା ପରେ ଶନିବାର ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏଜେନ୍ସି କୋର୍ଟକୁ ସୂଚନା ଦେଇଛି ଯେ, ତଦନ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ, ଡିଜିଟାଲ ରେକର୍ଡ ଓ ଆର୍ଥିକ କାରବାର ସମ୍ପର୍କିତ ସୂଚନା ମିଳିଛି। ଟଙ୍କାର ଲେନଦେନ, ଜମି ବ୍ୟବସାୟ ଓ କଥିତ ସେଲ କମ୍ପାନୀ ସହ ଜଡିତ ତଥ୍ୟର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆରୋରାଙ୍କୁ ସାମ୍ନାସାମ୍ନି ପଚରାଉଚରା ଆବଶ୍ୟକ ବୋଲି ଇଡି କହିଛି।
ଏହି ଘଟଣାକୁ ନେଇ ପଞ୍ଜାବ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟି କେନ୍ଦ୍ର ସରକାରଙ୍କ ଉପରେ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ଅଭିଯୋଗ ଆଣିଥିବାବେଳେ, ବିଜେପି ଏହାକୁ ଦୁର୍ନୀତି ବିରୋଧରେ କଡ଼ା ପଦକ୍ଷେପ ବୋଲି ବର୍ଣ୍ଣନା କରିଛି।
ରିମାଣ୍ଡ ସମୟରେ ଚଣ୍ଡିଗଡ଼, ମୋହାଲି ଓ ଲୁଧିଆନା ସହ ଜଡିତ କିଛି ପ୍ରକଳ୍ପ ଓ ସମ୍ପତ୍ତି କାରବାର ନେଇ ଆରୋରାଙ୍କୁ ଅଧିକ ପଚରାଉଚରା କରାଯିବା ସମ୍ଭାବନା ରହିଛି।

Show More

Related Articles

Back to top button