ଦେବ ଉତ୍ଥାପନ ଏକାଦଶୀରେ ତୁଳସୀ ପତ୍ରର ମହତ୍ତ୍ୱ
* ଆମ ସନାତନୀ ସଂସ୍କୃତି ତଥା ଧର୍ମାଚରଣରେ ତୁଳସୀ ବୃକ୍ଷର ମହାତ୍ମ ଅନିବାର୍ଯ୍ୟ। କେହି ଜଣେ ବୈଷ୍ଣବ କବି ଲେଖିଥିଲେ:”ମୂଳେ ତୋର ବ୍ରହ୍ମା, ଡାଳେ ତୋର ବିଷ୍ଣୁ,ପତ୍ରେ ଦେବତାଙ୍କ ବାସ। ସେ ପତ୍ର ପଡ଼ିଲେ ମଣୋହି ହୁଅଇ,
କହଇ ଗୋରେଖ ଦାସ।”ଏମିତି ଦେଖିଲେ ତୁଳସୀ ପତ୍ର,
ଡାଳ,ମୂଳ ସବୁଥିରେ ପ୍ରଚୁର ଔଷଧୀୟ ଗୁଣ ଭରପୂର।ଆମ ଜନ ଜୀବନରେ ପ୍ରତିଟି ଗୃହାଙ୍ଗନରେ ତୁଳସୀ ଚଉରା ନ ଥିଲେ,ସେ ଗୃହ ଗୃହସ୍ଥୀର ମର୍ଯ୍ୟାଦା ହାନୀ ହୋଇଥାଏ।ପ୍ରାୟ ସମସ୍ତଙ୍କୁ ତୁଳସୀ ମହାତ୍ମ ବିଷୟରେ ଉଣା ଅଧିକେ ଜଣା।ଏହି ଆଲେଖ୍ୟରେ ତୁଳସୀଙ୍କ ଜନ୍ମ ପୌରାଣିକ କଥା ବସ୍ତୁକୁ ଆଧାର କରି ଉପସ୍ଥାପନ କରାଯାଇଛି।
* ତୁଳସୀ ଗୋଟିଏ ଜନ୍ମରେ ବୃନ୍ଦା ଭାବେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ।ସେ ପରମା ବିଷ୍ଣୁ ଭକ୍ତ ଥିଲେ।ରାକ୍ଷସ କୁଳରେ ଜନ୍ମ ହୋଇ ମଧ୍ୟ ଆବାଲ୍ୟ ପରମ ଆରାଧ୍ୟ ବିଷ୍ଣୁଙ୍କ ପ୍ରତି ଶ୍ରଦ୍ଧା-ଭକ୍ତି-ବିଶ୍ଵାସ ତଥା ସାତ୍ତ୍ୱିକ ପ୍ରେମ ନିରନ୍ତର ଚାଲୁ ରଖିଥିଲେ।କୌଣସି ଚାପ ତାଙ୍କୁ ଏଥିରୁ ବିରତ କରି ପାରି ନ ଥିଲା।
* ବିବାହ ଯୋଗ୍ୟା ହେବାପରେ ତାଙ୍କୁ ଦାନବରାଜ ଜଳନ୍ଧର ଙ୍କ ସହ ବିବାହ କରି ଦିଆଗଲା।ଜଳନ୍ଧର ମହାବୀର ଥିଲା।ସେ ଜଳ ମଧ୍ୟରୁ ଜାତ ହୋଇଥିବା ହେତୁ ଏପରି ନାମରେ ଖ୍ୟାତ ଥିଲା। ବୃନ୍ଦା ଥିଲେ ପତିବ୍ରତା।
* ଥରେ ଦେବ-ଦାନବ ମଧ୍ୟରେ ଯୁଦ୍ଧ ହେଉଥିଲା।ଦାନବମାନଙ୍କ ସପକ୍ଷରେ ଯୁଦ୍ଧ କରିବା ପାଇଁ ଜଳନ୍ଧର ଅଗ୍ରସର ହେଲା।ବୃନ୍ଦା ପତ୍ନୀ ଧର୍ମ
ପାଳନ କରିବା ପାଇଁ ବିଜୟ ତିଳକ ମଥାରେ ଲଗାଇ ଦେଉ ଦେଉ କହିଲେ: “ହେ ମୋର ପ୍ରାଣେଶ୍ଵର !ଆପଣ ଯୁଦ୍ଧ କରିବା ପାଇଁ ଯାଉଛନ୍ତି ..ଯାଆନ୍ତୁ।ମୋର ଆପତ୍ତି ନାହିଁ। ହେଲେ ଆପଣ ଯେ ପର୍ଯ୍ୟନ୍ତ ଯୁଦ୍ଧ କ୍ଷେତ୍ରରେ ଥିବେ;ମୁଁ ଆପଣଙ୍କ ବିଜୟ ପାଇଁ ପୂଜାନୁଷ୍ଠାନରେ ବସି ରହିବି।ଫେରିବା ପର୍ଯ୍ୟନ୍ତ ଏ ସଂକଳ୍ପ ଅତୁଟ ରହିବ।”
* ଜଳନ୍ଧର ଯୁଦ୍ଧକୁ ଚାଲିଗଲେ। ଦୃଢ଼ ସଂକଳ୍ପ ନେଇ ବୃନ୍ଦା ପୂଜାରେ ବସିଲେ। ତାଙ୍କ ବ୍ରତରେ ଏତେ ଶକ୍ତି ଓ ନିଷ୍ଠା ଥିଲା ଯେ ଦେବତାମାନେ ତାଙ୍କୁ ପରାଜିତ କରି ପାରିଲେ ନାହିଁ।ସେମାନେ ପରାସ୍ତ ହୋଇ ବିଷ୍ଣୁଙ୍କ ଶରଣ ନେଲେ।ଦେବଗଣଙ୍କ ଅସହାୟତାକୁ ଭଗବାନ ବିଷ୍ଣୁ ହୃଦୟଙ୍ଗମ କରି ପାରିଲେ ମଧ୍ୟ କୌଣସି ପଦକ୍ଷେପ ନେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ।କାରଣ ସେ ଜାଣିଥିଲେ ଯେ ବୃନ୍ଦା ତାଙ୍କର ପରମ ଭକ୍ତ । ତା’ର ନିଷ୍ଠା ଏବଂ ସତୀତ୍ଵ ଜଳନ୍ଧର ଅମୋଘ ଅସ୍ତ୍ର।ତାହା ନଷ୍ଟ ନ ହେଲେ ଜଳନ୍ଧର ବଧ କଦାପି ହୋଇ ପାରିବ ନାହିଁ।ଯେହେତୁ ବୃନ୍ଦା ତାଙ୍କର ଅନନ୍ୟା ଭକ୍ତ ,ସେ ତାର କ୍ଷତି ସାଧନ କରିବେ କିପରି?
* ଆପଣଙ୍କ ବିନା ଏହି କାର୍ଯ୍ୟ ଅସମ୍ଭବ।ଦେବତାମାନେ ଅନୁନୟ ହୋଇ କହିଲେ ।ଦେବଲୋକକୁ ସଙ୍କଟ ଆସିଲେ ବିଷ୍ଣୁ ହିଁ ତା’ର ସମାଧାନ କରି ଥାଆନ୍ତି।ତେଣୁ ଦେବଗଣଙ୍କ କଥା ରଖି ସେ ଜଳନ୍ଧର ରୂପ ଧାରଣ କରି ବୃନ୍ଦା ପାଖରେ ପ୍ରକଟ ହେଲେ।
* ବୃନ୍ଦା ବିଚରା ଭାବିଲେ ତା’ର ସ୍ଵାମୀ ଯୁଦ୍ଧ କ୍ଷେତ୍ରରୁ ଫେରି ଆସିଛନ୍ତି।ସେ ତୁରନ୍ତ ପୂଜା ସ୍ଥାନରୁ ଉଠି ଆସି ଚରଣ ସ୍ପର୍ଶ କଲେ।ଏହା ଦ୍ଵାରା ତାଙ୍କ ସଂକଳ୍ପ ଭଗ୍ନ ହେଲା।
* ତେଣେ ଜଳନ୍ଧର ବଧ ହୋଇଗଲା।ତାର ମସ୍ତକ ବୃନ୍ଦା ସମ୍ମୁଖରେ ଭୂପତିତ ହେଲା।ଏହା ଦେଖି ବୃନ୍ଦା ଆଶ୍ଚର୍ଯ୍ୟ ଚକିତ ହୋଇଗଲେ।ସେ ଜାଣିଥିଲେ ତାଙ୍କ ସହ ଛଳ ହୋଇଛି। ସେ କହିଲେ : ତୁମେ ମୋର ସ୍ଵାମୀ ନୁହେଁ।କିଏ ତୁମେ ମାୟାଧାରୀ !?ମୋ ସହିତ ଏ ଛଳନା କାହିଁକି କଲ ? କିଏ ତୁମେ ମୁଁ ଯାହାକୁ ସ୍ପର୍ଶ କରି ମୋର ସର୍ବସ୍ୱ ହରାଇଲି !!ବେଶି ସମୟ ଲାଗିଲା ନାହିଁ ବୁଝିବାକୁ ଯେ ଯାହାଙ୍କୁ ସେ ଆବାଲ୍ୟ ଆରାଧନା କରି ଆସୁଥିଲେ,ସେ ହିଁ ତାକୁ ଆଜି ଏଇ ପରାଭବ ଦେଇଛନ୍ତି।ତହୁଁ ତାଙ୍କ ହୃଦୟ ବିଳପି ଉଠିଲା।ସେ ହିତାହିତ ଜ୍ଞିନ ହରାଇ ବସିଲେ। ସ୍ଵତ୍ତଃ ମୁଖରୁ ନିର୍ଗତ ହେଲା ସତୀ ନାରୀର ଅଭିଶାପ:”ହୁଅ ହେ ପାଷାଣ ବିଷ୍ଣୁ ଗଣ୍ଡୁକୀର ତୀରେ ,ତହିଁ କଳ୍ପ ପରିଯନ୍ତ,ମମ ପତିଦେବ ତବ ଦେବତା ବଇରୀ କାଟୁଥାନ୍ତୁ ଦିବା ନିଶି ତମାଳ ବରଣ।”
* ସତୀ ନାରୀର ବାକ୍ୟ ଅନ୍ୟଥା ନୁହଁଇ। ଭଗବାନ ସଙ୍ଗେ ସଙ୍ଗେ ପାଷାଣ ହୋଇଗଲେ।ଦେବଗଣଙ୍କ ମଧ୍ୟରେ ହା ହା କାର ଖେଳିଗଲା।ମା ଲକ୍ଷ୍ମୀ ଆଖିରେ ଲୋତକ ଧାର।ଆଉ ଉପାୟ ନ ଥିଲା। ସମସ୍ତେ ବୃନ୍ଦା ଙ୍କୁ ପ୍ରାର୍ଥନା କଲେ,ପ୍ରଭୁଙ୍କୁ ଶାପ ମୁକ୍ତ କରିବାକୁ। ସେତେବେଳକୁ ବୃନ୍ଦା ପ୍ରକୃତିସ୍ଥ ହୋଇ ଆସି ଯାଇଥିଲେ।ଅନୁତାପ କଲେ। କଣ ସେ କଲେ!? ନିଜ ସ୍ଵାର୍ଥ ପାଇଁ ସେ ପରମ ଆରାଧ୍ୟ ଙ୍କୁ ଶାପ ଗ୍ରସ୍ତ କରି ଦେଲେ।ନିଜକୁ ଧିକ୍କାରିଲେ ।ସଙ୍ଗେ ସଙ୍ଗେ ତାଙ୍କ ଅଭିଶାପ ଫେରାଇ ନେଲେ।ବିଷ୍ଣୁ ପୁନାରାୟ ପ୍ରକଟ ହେଲେ।
* ଆଉ କାଳ ବିଳମ୍ବ ନକରି ବୃନ୍ଦା ସ୍ଵାମୀ ଜଳନ୍ଧରଙ୍କ ମସ୍ତକ କୋଳରେ ଧରି ଅଗ୍ନିଗର୍ଭା ହେଲେ। ସେହି ଲେଲିହାନ ଅଗ୍ନିଶିଖାରୁ ଗୋଟିଏ ବୃକ୍ଷର ଆବିର୍ଭାବ ହେଲା।ଶ୍ରୀବିଷ୍ଣୁ ସେହି ବୃକ୍ଷଟିରେ ନାମ ଦେଲେ ତୁଳସୀ ଏବଂ କହିଲେ :ଏହି ଶୀଳାଖଣ୍ଡଟି ମୋର ଏକ ରୂପ ଭାବେ ଜଗତରେ ଖ୍ୟାତ ହେବ।ତାହା ତୁଳସୀ ସହ ପୂଜା ପାଇବ। ମୁଁ ତୁଳସୀ ବିନା ଭୋଗ ଗ୍ରହଣ କରିବି ନାହିଁ।
* ସେହି ଦିନ ଠାରୁ ତୁଳସୀ ସହ ଶାଳଗ୍ରାମ ପୂଜା ପ୍ରଚଳିତ।କାର୍ତ୍ତିକ ମାସରେ ତୁଳସୀ ଙ୍କ ବିବାହ ଶାଳଗ୍ରାମ ସହ କରାଯାଏ।ଦେବ ଉତ୍ଥାପନ ଏକାଦଶୀ ଦିନ ଏହି ଉତ୍ସବ ପାଳନର ପରମ୍ପରା ଚଳି ଆସୁଛି।