ଆଳୁ ୧୨ ଟଙ୍କାରୁ ଅଧିକ ବିକ୍ରି କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆବଶ୍ୟକ ଜିନିଷର ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି। ଖୁଚୁରା ବ୍ୟବସାୟୀମାନେ ଯଦି ଆଳୁ ୧୨ ଟଙ୍କାରୁ ଅଧିକ ଦରରେ ବିକ୍ରି କରନ୍ତି, ତେବେ ସେମାନଙ୍କୁ ଜେଲ୍ ସହିତ କଠୋର କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡିପାରେ।
ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନନ୍ଦ୍ରେ ମିଶ୍ର, ବିଏମସି ଅଧିକାରୀମାନେ ଓ ବିଭିନ୍ନ ବ୍ୟବସାୟୀ ଉପସ୍ଥିତ ଥିଲେ।
ବୈଠକରେ ସ୍ପଷ୍ଟ ଭାବେ କୁହାଯାଇଛିଯେ, ଆଳୁ ଦର ୧୨ ଟଙ୍କାରୁ ଅଧିକ ନୁହେଁ,ପିଆଜ ଦର: ୨୦ ଟଙ୍କାରୁ ଅଧିକ ନୁହେଁ । ଏହା ପରେ ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ଚଢାଉ ଆରମ୍ଭ କରାଯାଇଛି। ୟୁନିଟ୍-୧ ଓ ୟୁନିଟ୍-୪ ମାର୍କେଟରେ ଏସିଏସଓଙ୍କ ନେତୃତ୍ୱରେ ଯାଞ୍ଚ କରାଯାଇଥିଲା। ଖାଲି ଆଳୁ କିମ୍ବା ପିଆଜ ନୁହେଁ, ଅନ୍ୟାନ୍ୟ ଦୈନିକ ପ୍ରୟୋଜନୀୟ ସାମଗ୍ରୀ, ଚାଉଳ, ଡାଲି, ତେଲର ଦର ମଧ୍ୟ ଯାଞ୍ଚ ହୋଇଛି। ସହିତେ ବଡ ଗୋଦାମରେ ରହିଥିବା ଷ୍ଟକ ମଧ୍ୟ ପରୀକ୍ଷା କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଦରବୃଦ୍ଧିକୁ ନିୟନ୍ତ୍ରଣ କରି ଉପଭୋକ୍ତାଙ୍କୁ ରାହତ ଦେବା ପାଇଁ ନିଆଯାଇଥିବା ବୋଲି କୁହାଯାଉଛି।



