ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ । ସେ ସାଧାରଣ ମଣିଷ ହୁଅନ୍ତୁ କି ସେଲିବ୍ରିଟି,ସମସ୍ତେ ଏହି ସାଇବର ଠକଙ୍କ ହାବୁଡରେ ପଡି ଠକାମୀର ଶିକାର ହେଉଛନ୍ତି । ତେବେ ଏଥିରୁ ବର୍ତ୍ତି ପାରିନାହାଁନ୍ତି ‘ଭାବିଜୀ ଘର ପର ହୈ’ ଫେମ୍ ଶୁଭାଙ୍ଗୀ ଅତ୍ରେ ଓରଫ ଅଙ୍ଗୁରୀ ଭାବି । ନିକଟରେ ସାଇବର ଠକାମୀର ଶିକାର ହୋଇଥିବା ନେଇ ସେ ନିଜେ ସୂଚନା ଦେଇଛନ୍ତି।
ତେବେ ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାର୍ରେ ସେ କହିଛନ୍ତ,ଗତ ସେପ୍ଟେମ୍ବର ୮ ତାରିଖରେ ସେ ଏକ ଜଣାଶୁଣା ଫ୍ୟାଶନ୍ ଆପ୍ରେ ନିଜ ପାଇଁ ଅନ୍ଲାଇନ୍ରେ କିଛି ଜିନିଷ ଅର୍ଡର କରିଥିଲେ। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ରେ ସେ ଘରର ଠିକଣା ପଚାରିଥିଲେ। ଏଥିସହ ତିନି ବର୍ଷ ହେଲା ଏହି ଅନ୍ଲାଇନ୍ ଆପ୍ରେ ସପିଂ କରୁଥବାରୁ ତାଙ୍କର ଅଭିଜ୍ଞତା କିଭଳି ରହିଛି ବୋଲି ସେପଟୁ ବ୍ୟକ୍ତି ଜଣଙ୍କ ତାଙ୍କୁ ପଚାରିଥିଲେ। ପ୍ରଥମେ ଦୁଇ ଜଣ ଝିଅ ତାଙ୍କ ସହ କଥା ହୋଇଥିଲେ। ଏହାପରେ ଦୁଇ ଜଣ ପୁଅ ଫୋନ୍ କଲ୍ ସହ ଯୋଡି ହୋଇଥିଲେ। କଥାବାର୍ତ୍ତା ହେବା ପରେ ଶୁଭାଙ୍ଗିଙ୍କୁ ଏକ ପ୍ରଡକ୍ଟ ଫ୍ରିରେ ଦେବା ପାଇଁ କହିଥିଲେ। ଠିକ୍ ଲାଗିବା ପରେ ଶୁଭାଙ୍ଗି ଏଥିପାଇଁ ହଁ କରିଥିଲେ। ଏହାପରେ କିଛି ପ୍ରଡକ୍ଟ ଚୟନ କରିବା ପାଇଁ ଅପ୍ସନ୍ ଦିଆ ଯାଇଥିଲା। ପ୍ରଡକ୍ଟ ବାଛିବା ପରେ ତା’ର କେବଳ ଜିଏସ୍ଟି ଭରିବା ପାଇଁ ତାଙ୍କୁ କୁହାଯାଇଥିଲା। ସେ ଜିଏସ୍ଟି ବାବଦକୁ ଟଙ୍କା ଭରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ମୋଟା ଆକାରର ଟଙ୍କା ଗାଏବ୍ ହୋଇଯାଇଥିଲା। ବାରମ୍ବାର ତାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜେକସନ୍ ହୋଇଥିବା ଅଭିନେତ୍ରୀ ଅଭିଯୋଗ କରିଛନ୍ତି।
ଏନେଇ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ସାଇବର୍ ପୁଲିସରେ ଏକ ଏତଲା ଦେଇଛନ୍ତି ଶୁଭାଙ୍ଗି । ସେ ନିଜ ଫ୍ୟାନ୍ମାନଙ୍କୁ ଏ ବାବଦରେ ସଚେତନ କରାଇ କହିଛନ୍ତି ଯେ, ତାଙ୍କ ଭଳି ଯେପରି ଆଉ କେହି ଏହି ସାଇବର ଠକେଇର ଶିକାର ନହୁଅନ୍ତୁ ।