ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ଭୁବନେଶ୍ୱର, 25 ଏପ୍ରିଲ- ବିଶ୍ୱ ମ୍ୟାଲେରିଆ ଦିବସ ପ୍ରତିବର୍ଷ ଏପ୍ରିଲ ୨୫ରେ ପାଳିତ ହେଇଥାଏ । ମ୍ୟାଲେରିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଏହି ସଂଗଠନ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ,ସମଗ୍ର ବିଶ୍ୱକୁ ମ୍ୟାଲେରିଆ ମୁକ୍ତ କରିବା ହେଉଛି ମୂଳ ଲକ୍ଷ ।
‘ବିଶ୍ୱ ମ୍ୟାଲେରିଆ ଦିବସ’ରେ ସୁରକ୍ଷିତ ରହିବା ସହ ସଚେତନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆମେ ଜିତିବା, ମ୍ୟାଲେରିଆ ହାରିବ । ‘ବିଶ୍ୱ ମ୍ୟାଲେରିଆ ଦିବସ’ ଅବସରରେ ଆସନ୍ତୁ ଶପଥ ନେବା, ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ଏହି ରୋଗରୁ ସୁରକ୍ଷିତ ରଖିବା ପାଇଁ ସଚେତନ କରାଇବା।
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ସୁନ୍ଦର ବାଲୁକା କଳା ମାଧ୍ୟମରେ ସଚେତନତାର ଏକ ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରିଛନ୍ତି। ତାଙ୍କର ଏହି ସୃଜନଶୀଳ ପ୍ରୟାସ ପାଇଁ ତାଙ୍କୁ ଅନେକ ସାଧୁବାଦ। ଏପରି ପଦକ୍ଷେପ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରି ଏକ ସୁସ୍ଥ ସମାଜ ଗଠନରେ ନିଶ୍ଚୟ ସାହାଯ୍ୟ କରିବ।



