
ସିମୁଳିଆ: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତରେ ଏକ ନିର୍ମମ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପ୍ରସ୍ତାବକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୁଦର୍ଶନ ସୂତାରଙ୍କ ପୁଅ ସୁବାଷ (୪୦) କାଞ୍ଚପଡା ପଞ୍ଚାୟତ ବିରବ୍ରହ୍ମପୁର ଗାଁର ଜଣେ ଯୁବତୀଙ୍କୁ ମୋବାଇଲ ମାଧ୍ୟମରେ ପ୍ରେମ ନିବେଦନ କରିଥିଲେ। ପରେ ଏହା ଜାଣି ଯୁବତୀଙ୍କ ପିତା ଭଗବାନ କର କ୍ରୋଧିତ ହୋଇ ସୁବାଷଙ୍କୁ ଗାଡ଼ିରେ ନେଇ ବିରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡି ଘରର ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଗୁରୁତର ଆହତ ସୁବାଷଙ୍କୁ ପ୍ରଥମେ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ସମ୍ବନ୍ଧରେ ମୃତକଙ୍କ ଭିଣୋଇ ଭବେଶ ନାୟକ ସିମୁଳିଆ ଥାନାରେ ଅଭିଯୋଗ କରିଥିବାବେଳେ, ପୁଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।



